Odia News Portal

କଂଗ୍ରେସ ପାଇଁ ବିଜେପୁରରେ ଏବେ ‘କର ବା ମର’ ସ୍ଥିତି

ଭୁବନେଶ୍ୱର : ଆସନ୍ତା ମାସରେ ହେବାକୁ ଯାଉଥିବା ବିଜେପୁର ନିର୍ବାଚନ ଏବେ ରାଜ୍ୟ କଂଗ୍ରେସ ପାଇଁ କର ବା ମର ଅବସ୍ଥା । ଯଦି କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ ନକରିବେ ତେବେ ଏହାର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ନିକଟ ଭବିଷ୍ୟତରେ ଶକ୍ତି ପ୍ରଦର୍ଶନର ସେଭଳି ସୁଯୋଗ ନାହିଁ । ତେଣୁ କଂଗ୍ରେସ ଏଠାରେ କିଭଳି ପ୍ରଦର୍ଶନ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ବିଧାନସଭାରେ ବିରୋଧିଦଳର ମାନ୍ୟତା ହରାଇ ସାରିଛି । ବିଧାୟକ ସଂଖ୍ୟା ଏକ ଅଙ୍କରେ ସୀମିତ ହୋଇଥିବାବେଳେ ସମଗ୍ର ରାଜ୍ୟରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସାଧାରଣ ନିର୍ବାଚନ ପରେ ପରେ ଆସିଥିଲା ପାଟକୁରା ଉପନିର୍ବାଚନ । ସେଠାରେ ବି କଂଗ୍ରେସ ଆହୁରି ଦୟନୀୟ ସ୍ଥିତିରେ ରହିଲା । ଯଦିଓ କଂଗ୍ରେସର ପ୍ରାର୍ଥୀ ଏଠାରେ ଭଲ ଥିଲେ କିନ୍ତୁ କଂଗ୍ରେସ ଭୋଟ ସବୁ ବିଜେପି ଓ ବିଜେଡକୁ ପଳାଇଲା । ଦଳର ଏଭଳି ବିପର୍ଯ୍ୟୟ ପାଇଁ କେହି କାହାରିକୁ ଦୋଷଦେବା ଅବସ୍ଥାରେ ନଥିଲେ ।

ଅବଶ୍ୟ ସାଧ।।ରଣ ର୍ନିବାଚନ ବିପର୍ଯ୍ୟୟ ପରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେବାପାଇଁ ଇଚ୍ଛାବ୍ୟକ୍ତ କରି ତାଙ୍କର ଇସ୍ତଫାପତ୍ରଟିକୁ କେନ୍ଦ୍ରୀୟ ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାପରେ ପ୍ରଦେଶ କଂଗ୍ରେସର ସବୁ ଶାଖାକୁ ଭାଙ୍ଗି ଦିଆଗଲା । ତେବେ ଜାତୀୟ ସଭାପତି ଶ୍ରୀ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଥିବା ଚୀରଞ୍ଜିବ ବିଶ୍ୱାଳ ଓ ପ୍ରଦୀପ ମାଝିଙ୍କ ପଦବୀ ବଜାୟ ରଖିଛନ୍ତି । ଇତି ମଧ୍ୟରେ ନିରଞ୍ଜନଙ୍କୁ କଂଗ୍ରେସର ଗୋଟିଏ ଗୋଷ୍ଠି କଡା ବିରୋଧ ଆରମ୍ଭ କରିଛନ୍ତି । ପରଦା ପଛରେ ବରିଷ୍ଠ ନେତାମାନେ ଥିବାବେଳେ କନିଷ୍ଠ ନେତା ଇତିଶ ଖୋଲାଖୋଲି ଭାବେ ପଦାକୁ ଆସି ଏବେ ଦଳରୁ ବିଦା ହୋଇଛନ୍ତି ।

ତେବେ ନିରଞ୍ଜନଙ୍କ ଉପରେ ଦଳୀୟ ହାଇକମାଣ୍ଡ ଯେଉଁ ଭରସା କରିଛନ୍ତି ତାହାକୁ ବିଜେପୁରରେ କିଛିଟା ଦେଖାଇବାକୁ ପଡିବ ବୋଲି କଂଗ୍ରେସର କର୍ମୀମାନେ କହୁଛନ୍ତି । କାରଣ ପାଟକୁରାରେ ଯେଭଳି ଶୋଚନୀୟ ପରାଜୟ ହେଲା ଯଦି ଅନୁରୂପ ଅବସ୍ଥା ବିଜେପୁରରେ ହୁଏ ତେବେ ଦଳ ଆଉ କୂଳର ହୋଇ ରହିବନାହିଁ । ଏଠାରେ ଯେଭଳି କଂଗ୍ରେସ କଂଗ୍ରେସକୁ ଜିଣିବା କିମ୍ବା ଦୁଇ ନମ୍ବର ସ୍ଥାନରେ ରହିବାକୁ ପଡିବ । ଅନ୍ୟ ପକ୍ଷରେ ବିଜେପୁର ବିଗୁଲ ବାଜିବାପରେ ଉଭୟ ବିଜେଡି ଓ ବିଜେପି ସେମାନଙ୍କର ସମରସଜା ଆରମ୍ଭ କରିଦେଇଛନ୍ତି ।

ବରଗଡ ଲୋକସଭା ଅଧିନରେ ଆସୁଥିବା ଏହି ବିଧାନସଭା କ୍ଷେତ୍ରକୁ ଯେଭଳି ହେଲେ ହାତେଇବାପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛନ୍ତି । କାରଣ ବରଗଡ ଲୋକସଭା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ଆସନରେ ବିଜେଡି ବିଧାୟକମାନେ ଜିଣିଥିଲେ ବି ଲୋକସଭା ଆସନଟିକୁ କିନ୍ତୁ ବିଜେପି ହାତେଇ ନେଇଛି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନଟିକୁ ଛାଡିଥିବାରୁ ଦଳ ପାଇଁ ଏଠାରୁ ବିଜୟୀ ହେବା ସମ୍ମାନ ପ୍ରଶ୍ନ ହୋଇଛି । ଦୁଇ ମହାରଥୀଙ୍କର ଏଭଳି ଯୁଦ୍ଧ ଭିତରେ କଂଗ୍ରେସ କିଭଳି ପ୍ରଦର୍ଶନ କରି ନିଜର ମାନ ରଖିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

  ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )