Odia News Portal

୨୪ ତାରିଖରେ କଂଗ୍ରେସ ଭଞ୍ଜନଗର ବନ୍ଦ ଡାକରା !

ଭଞ୍ଜନଗର ରାଜସ୍ବ ଉପଖଣ୍ଡ ରାଜ୍ୟର ସବୁଠାରୁ ବଡ଼ ଉପଖଣ୍ଡ। ଏଠାରେ ଥିବା ଉପଖଣ୍ଡ ହସ୍ପିଟାଲକୁ ଦୈନନ୍ଦିନ ଉପଖଣ୍ଡ ସମେତ ପଡ଼ୋଶୀ ନୟାଗଡ଼ ଓ କନ୍ଧମାଳ ଜିଲାର ଶହଶହ ରୋଗୀ  ଆସିଥାନ୍ତି । ଜିଲା ହସ୍ପିଟାଲରୁ ଅଧିକ ରୋଗୀ ଦୈନନ୍ଦିନ ଏହି ହସ୍ପିଟାଲର ଆଉଟ୍‌ଡ଼ୋର ଏବଂ ଇନ୍‌ଡ଼ୋରରେ ଚିକିତ୍ସିତ ହେଉଛନ୍ତି। କିଛିମାସ ପୂର୍ବେ ଏଠାରେ ଡାକ୍ତର ସଂଖ୍ୟା ୨୪କୁ ବୃଦ୍ଧି କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଅଛନ୍ତି ୧୧। ସର୍ଜରୀ, ଅସ୍ଥିଶଲ୍ୟ, ମେଡିଶିନ, ଚକ୍ଷୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି। ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଶୀଘ୍ର ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲକୁ ଜିଲା ହସ୍ପିଟାଲର ମାନ୍ୟତା ଦିଆଯିବା ସହ ଖାଲିଥିବା ଡାକ୍ତର ସମେତ ସମସ୍ତ ପଦବୀ ୭ଦିନ ମଧ୍ୟରେ ପୂରଣ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ନଚେତ ଆସନ୍ତା ୨୪ ତାରିଖରେ କଂଗ୍ରେସ ଭଞ୍ଜନଗର ବନ୍ଦ ଡାକରା ଦେବ। ଏ ନେଇ ଦଳପକ୍ଷରୁ ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବିପତ୍ର ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ପିସିସି କାର୍ଯ୍ୟକାରିଣୀ କମିଟି ସଭ୍ୟ ନୃସିଂହ କୁମାର ରଥ, ପିସିସି ସଭ୍ୟ ଦେବୀ ବିଷୋୟୀ, ଡିସିସି କାର୍ଯ୍ୟକାରୀ ସଭାପତି ସନ୍ତୋଷ ନାୟକ, ନଗର ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଜୋନ୍‌ ସଭାପତି ଅଯୋଧ୍ୟାନାଥ ମହାପାତ୍ର, ପୂର୍ବତନ ପିସିସି ସମ୍ପାଦକ ସଞ୍ଜୟ ତ୍ରିପାଠୀ, ବିଶିକେଶନ ରାଉତ, ପପୁ ପଟ୍ଟନାୟକ, ଖରାଂଶୁ ଶେଖର ଦାସ, ମଣି ଦିକ୍ଷୀତ, ଆଶିଷ ପ୍ରଧାନ, ମୁନା ଦାସ, ସୂର୍ଯ୍ୟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।