Odia News Portal

ବାଲେଶ୍ୱର ପନ୍ତେଇ ଘାଟରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା

ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା କରୁଥିବା ନେଇ ଅଭିଯୋଗ ହେଉଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ପାଣି ଭିତରେ ବିପଦ ସଙ୍କୁଳ ଭାବେ ଯାତ୍ରା କରୁଛନ୍ତି ଯାତ୍ରୀ। ଟିକିଏ ଏପଟସେପଟ ହେଲେ ଜୀବନ ଚାଲିଯିବାର ଭୟ ରହିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ୍ ଅନ୍ତର୍ଗତ ପନ୍ତେଇ ଘାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଘାଟରେ ଯାତ୍ରୀ ପରିବହନ ପାଇଁ ମାତ୍ର ୨ଟି ଡଙ୍ଗା ନିୟୋଜିତ ହୋଇଥିବା ବେଳେ ଏହା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହୋଇଛି। ଗୋଟିଏ ଗୋଟିଏ  ଡଙ୍ଗାରେ ୧୫ରୁ ୨୦ଟି ମୋଟର ସାଇକେଲ୍‌, ୬୦/୭୦ ଲୋକ ଲଦାଲଦି ହୋଇ ନଦୀ ପାର୍ ହେଉଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ଡଙ୍ଗାରେ କୌଣସି ବ୍ୟବସ୍ଥା ନାହିଁ। ଲାଇଫ୍ ଜ୍ୟାକେଟ୍ ଦୂରର କଥା,

ସାଧାରଣ ଡ୍ରମଟିଏ ବି ନଥିବାବେଳେ ଡଙ୍ଗା ପୂରା ଭର୍ତ୍ତି ନ ହେବା ଯାଏ ନାଉରିଆ କୂଳ ଛାଡୁନଥିବା ନେଇ ଯାତ୍ରୀ ଅଭିଯୋଗ କରିଛନ୍ତି। ଦୈନନ୍ଦିନ କାମ, ମେଡିକାଲ୍‌ ଭଳି ଜରୁରୀକାଳୀନ ସମୟରେ ଲୋକେ ପନ୍ତେଇ ଘାଟ ଉପରେ ନିର୍ଭରଶୀଳ ଥିବାବେଳେ ନାଉରିଆଙ୍କ ଦାୟିତ୍ୱହୀନତା ଯୋଗୁ କେତେବେଳେ ଯେ ଡଙ୍ଗା ବୁଡ଼ି ଭଳି ଅଘଟଣ ଘଟିବ, ସେନେଇ ଲୋକେ ଆତଙ୍କିତ। ପୁଣି ନାଉରିଆ ମାନେ ଡଙ୍ଗା ପୁନଃନବୀକରଣ କରିନଥିବାରୁ ଏନେଇ ପ୍ରଶାସନ ପଦକ୍ଷେପ ନେବାକୁ ଯାତ୍ରୀମାନେ ଦାବି କରିଛନ୍ତି। ଅନ୍ୟପଟେ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।