ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲ୍ ଇନ୍ଡୋର୍ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫର୍ମର ମୁକୁଳା ଥିବାରୁ ପଥଚାରୀଙ୍କ ପ୍ରତି ବିପଦ ଘନେଇଥିବା ଅଭିଯୋଗ ହୋଇଛି । ୪୪୦ ଭୋଲ୍ଟର ଏହି ଟ୍ରାନ୍ସଫର୍ମରଟି ନୂତନ ଇନ୍ଡୋର୍ ମେଡିସିନ୍ ୱାର୍ଡ ବିଲ୍ଡିଂକୁ ଲାଗି ରହିଛି। ସେହି ରାସ୍ତା ଦେଇ ଦୈନିକ ଶତାଧିକ ଲୋକ ଯାତାୟାତ କରୁଛନ୍ତି । ବଡ ମେଡିକାଲ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାନ୍ସଫର୍ମରଟି ମୁକୁଳା ରହୁଥିବା ହେତୁ ସର୍ବଦା ଆଶଙ୍କାରେ ରୋଗୀ ତଥା ସମ୍ପର୍କୀୟ ଯାତାୟାତ କରୁଛନ୍ତି। ଏନେଇ ବଡ ମେଡିକାଲ ପ୍ରଶାସନିକ ଅଧିକାରୀ ସୁଦାମ ମଣ୍ଡଳଙ୍କୁ ପଚରାଯିବାରୁ ସେ ବିଦ୍ୟୁତ୍ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଅପରପକ୍ଷେ ବଡ ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ସେନେଇ କିଛି ଲିଖିତ ଅଭିଯୋଗ ଆସିନାହିଁ, ତଥାପି ଉକ୍ତ ଟ୍ରାନ୍ସଫର୍ମର ଚାରିପଟେ ପାଚେରି ନିର୍ମାଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଉଥ୍କୋ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚନ୍ଦନ ଦାସ ଜଣାଇଛନ୍ତି