Odia News Portal

‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ ଶୁଭାରମ୍ଭ

କଟକ: ଗୁରୁବାର କଟକ ଚଣ୍ଡୀଙ୍କ ପୀଠରୁ ଜିଲା ଭାଜପା ପକ୍ଷରୁ  ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ ଶୁଭାରମ୍ଭ ହୋଇଛି।  ଏହି ଅବସରରେ ୭ଟି ରଥ ପରିକ୍ରମା ଆରମ୍ଭ କରିଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରକୁ ଏହି ରଥ ଯାତ୍ରା କରିବ। ରାଜ୍ୟରେ ବେରୋଜଗାରିର ଉଦ୍‌ବେଗଜନକ ସ୍ଥିତିକୁ ନେଇ ରଥ ମାଧ୍ୟମରେ ଭାଜପା ଲୋକଙ୍କୁ ଅବଗତ କରାଇବ। ଏହି ରଥରେ ୧୭ ମିନିଟ୍‌ର ଏକ ଡକୁମେଣ୍ଟାରି ପ୍ରଦର୍ଶିତ କରାଯିବ। ଯୁବ ବର୍ଗ ନିଜର ଉଦ୍‌ବେଗକୁ ଏହି ରଥ ପାଖକୁ ଆସି ପ୍ରକାଶ କରିପାରିବେ। ଏହାକୁ ଅନ୍‌ଲାଇନରେ ପଞ୍ଜୀକରଣ କରାଯିବାର ବ୍ୟବସ୍ଥା ରହିଛି। ରଥ ପରିକ୍ରମା କାର୍ଯ୍ୟକ୍ରମକୁ ଭାଜପା ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦଳୀୟ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏଥିରେ ଭାଜପା ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ସମ୍ପାଦକ ଦିଲୀପ ମଲ୍ଲିକ, ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଭକ୍ତବତ୍ସଳ ବସ୍ତିଆ, ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ  ଓ ଭାଜପା ନେତା ସାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।