Odia News Portal

ଜଙ୍ଗଲ ଭିତରେ ଗଜରାଜଙ୍କ ଚିକିତ୍ସା

ଜଙ୍ଗଲ ଭିତରେ ହାତୀର ଚିକିତ୍ସା। ସେ ପୁଣି ଜଙ୍ଗଲୀ ହାତୀର। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପଡ଼ିଥିବା ହାତୀକୁ ଚିକିତ୍ସା କରି ସୁସ୍ଥ କରିବାକୁ ବନବିଭାଗ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି। ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ହାତୀଟି ଠିକ୍‌ରେ ଚାଲି ପାରୁଛି ନା ଖାଇ ପାରୁଛି। ତେବେ ଏଭଳି ପରିସ୍ଥିତିରେ ଗଜରାଜଙ୍କ ଚିକିତ୍ସା କରି ସୁସ୍ଥ କରିବା ଏକ ଚାଲେଞ୍ଜ୍‌ ହୋଇଥିଲେ ମଧ୍ୟ ଅପରେସନ୍ ଟିମ୍ ଏଥିରେ ସଫଳ ହୋଇଛନ୍ତି ।

ହାତୀର ଏପରି ଅବସ୍ଥା ସମ୍ପର୍କରେ ୪/୫ ଦିନ ତଳେ ବନ ବିଭାଗକୁ ସୂଚନା ମିଳିବା ପରେ ହାତୀକୁ ସୁସ୍ଥ କରିବାକୁ ଅପରେସନ୍‌ ଆରମ୍ଭ ହୋଇଥିଲା। ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା।

ପ୍ରଥମେ ମିଇଲ୍‌ଡ୍‌ ଟ୍ରାଙ୍କୁଲାଇଜେର୍‌ ଦେଇ ହାତୀକୁ ଅଧା ଅଚେତ କରାଯାଇଥିଲା। ଏହାପରେ ତା ଆଖିରେ କପଡ଼ା ପକାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। କାଳେ ଅଚେତ ଥିବାବେଳେ ହାତୀଟି ଟଳି ପଡ଼ିବ, ସେଥିପାଇଁ କାଠର ଭାରା ମଧ୍ୟ ପ୍ରସ୍ତୁତ କରି ହାତୀକୁ ସେଥିରେ ଆବଦ୍ଧ କରାଯାଇଥିଲା। ବିଶେଷଜ୍ଞ ଡାକ୍ତରୀ ଦଳ ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ହାତୀର ଚିକିତ୍ସା କରିଥିଲେ।

ପାଖାପାଖି ୫୦ ବର୍ଷ ବୟସର ଏହି ହାତୀଟି ଆଠଗଡ଼ ବନଖଣ୍ଡର ନୁହେଁ। ଏହା ଢେଙ୍କାନାଳ କିମ୍ବା ଅନ୍ୟ କେଉଁ ଅଞ୍ଚଳରୁ ନରସିଂହପୁର ଅଞ୍ଚଳକୁ ଗତ କିଛିଦିନ ହେଲା ଚାଲି ଆସିଥିଲା। ଚାଲି ନ ପାରିବା, ଅସୁସ୍ଥ ହୋଇ ପଡ଼ିବା ଓ ସେ ଯାହା ଖାଦ୍ୟ ଖାଉଥିଲା ତାହା ହଜମ ହେଉ ନ ଥିବା ଜଣାପଡ଼ିଥିଲା। ଏହାପରେ ହାତୀଟିର ଚିକିତ୍ସା ପାଇଁ ବନ ବିଭାଗ ଅଣ୍ଟା ଭିଡ଼ିଥିଲା।

ଚିକିତ୍ସା ପରେ ହାତୀଟି ଧୀରେ ଧୀରେ ସୁସ୍ଥ ହୋଇଛି। ବର୍ତ୍ତମାନ ସମୟରେ ହାତୀ-ମଣିଷ ବିବାଦ ବିଭିନ୍ନ ଅଞ୍ଚଳରେ ବଢ଼ିବା ଘଟଣା ସାମ୍ନାକୁ ଆସୁଛି।

ଗଜରାଜଙ୍କ ସୁରକ୍ଷା ପାଇଁ ସଚେତନତା ଓ ଚିନ୍ତାଧାରାରେ ପରିବର୍ତ୍ତନ ହିଁ ସମୟର ଆବଶ୍ୟକତା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି।