Odia News Portal

ମୁଖ୍ୟମନ୍ତ୍ରୀଙ୍କ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ

ଭୁବନେଶ୍ୱର () ରାଜ୍ୟରେ ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣରେ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଖୋର୍ଦ୍ଧାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସିଡ୍ ମନି ପ୍ରଦାନ କରିଛନ୍ତି । ଖୋର୍ଦ୍ଧାର ମୁକୁଣ୍ଡପ୍ରସାଦ ଗୋଶାଳା ପଡ଼ିଆରେ ଆୟୋଜିତ ମିଶନ ଶକ୍ତିର ଏକ ବିରାଟ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସୁଫଳ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ମିଶନ ଶକ୍ତି ଏକ ନିରବ ବିପ୍ଳବରେ ପରିଣତ ହୋଇଥିବା ବେଳେ ସରକାର ଏହି କାର୍ଯ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତୁଶ୍ରୁତିବଦ୍ଧ । ଏହାଦ୍ୱାରା ମହିଳାମାନଙ୍କ ଜୀବନ ଧାରଣର ମାନ ମଧ୍ୟ ପରିବାରିବର୍ତ୍ତନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାୟ ଏକ ଲକ୍ଷ ମହିଳା ସ୍ୱୟଂ ସହାୟିକା ବିଭିନ୍ନ ସ୍ୱୟଂ ସହାୟିକା ସଂଗଠନରୁ ଏହି ସମାବେଶରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର 13 ହଜାର 416ଟି ସ୍ୱୟଂ ସହାୟକ ଗୋଷ୍ଠୀର 13ଟି ପ୍ରକଳ୍ପ ପାଇଁ 20 କୋଟି 12 ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ରାଜ୍ୟ ସରକାର ମହିଳାଙ୍କୁ ଡିଜିଟାଲ ସଶକ୍ତ କରିବାକୁ ପ୍ରତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ 3000 ହଜାର ଟଙ୍କା ସହାୟତା ଦେଉଛନ୍ତି । ଏଥିସହିତ ସରକାର ଅଙ୍ଗନବାଡି ସଦସ୍ୟା ଓ ସହକାରୀଙ୍କୁ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପାଇଁ ଯଥାକ୍ରମେ 500 ଓ 200 ଟଙ୍କା ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରୁଛନ୍ତି । ଏହିକ୍ରମରେ ଆଜି ଖୋର୍ଦ୍ଧାର 2477 ଅଙ୍ଗନବାଡି ସଦସ୍ୟା ଓ ସହାୟିକାଙ୍କୁ 77 ଲକ୍ଷ 87 ହଜାର ଟଙ୍କାର ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାର 100ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ମିଶନ ଶକ୍ତି ଗୃହ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି ଗୃହଗୁଡିକ ମିଶନ ଶକ୍ତିର ବୈଠକ ଓ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ବ୍ୟବହାର କରାଯିବ । 2011 ମାର୍ଚ୍ଚ 8 ତାରିଖରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ଗତ 8 ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣରେ ଏକ ଅଦମ୍ୟ ଉଦାହାରଣ ସୃଷ୍ଟି କରିଛି । ଏଲଇଡି ବଲବ ନିର୍ମାଣରୁ ଆରମ୍ଭ କରି ବିଜୁ ଗାଁ ଗାଡି ପରିଚାଳନା, ବିଦ୍ୟୁତ ମିଟର ରିଡିଙ୍ଗ ଓ ନିର୍ମାଣ କାର୍ଯ୍ୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଗୁଡିକ ସମ୍ପୃକ୍ତ ।