Odia News Portal

କାଳିଆକୁ କେହି ବନ୍ଦ କରିପାରିବେ ନାହିଁ : ନବୀନ

ଭୁବନେଶ୍ବର () ନବ ନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରା ସତ୍ତ୍ବେ ଆଜି ବରଗଡରେ ଆୟୋଜିତ ଚାଷୀ ସମାବେଶରେ ଲକ୍ଷାଧିକ ଚାଷୀ ଯୋଗ ଦେଇଥିଲେ । ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାରେ ଆଜି ରାଜ୍ୟର 14 ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷରୁ ଅଧିକ ଚାଷୀ ଉପକାର ପାଇଥିବା ବେଳେ କେନ୍ଦ୍ରାପଡାରେ 3 ଲକ୍ଷ 50 ହଜାର ଭୂମିହୀନ ଚାଷୀ ଉପକୃତ ହୋଇଥିଲେ । ବରଗଡରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ 14ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ଟଙ୍କା ଦିଆଯାଇଛି । ବରଗଡର ଇଚ୍ଛାପାଲୀଠାରେ ଆୟୋଜିତ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ 700 କୋଟି ଟଙ୍କାର କାଳିଆ ସହାୟତା ରାଶି 14 ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କାର୍ଯ୍ୟ ସଂପନ୍ନ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀ ଆମର ଗୌରବ । ଚାଷୀର ତ୍ୟାଗ ଓ ପରିଶ୍ରମ ପାଇଁ ସମସ୍ତ ଦେଶ କୃତଜ୍ଞ । ଚାଷୀକୁ ତାର ହକ ଦେବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀର ସ୍ବାର୍ଥ ରକ୍ଷା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ସାରା ଦେଶରେ ଏହି ଯୋଜନାକୁ ପ୍ରଶଂସା କରାଯାଇଛି । ରାଜ୍ୟର କୃଷି ଅର୍ଥନୀତିକୁ କାଳିଆ ଯୋଜନା ସମୃଦ୍ଧ କରିବ ବୋଲି ସେ ଦୃଢ ଆଶାବ୍ୟକ୍ତ କରିଥିଲେ । ଗରିବୀ ଦୂର କରିବା ଏବଂ ଚାଷୀର ଅବସ୍ଥାରେ ଉନ୍ନତି ଆଣିବା ପାଇଁ କାଳିଆ ଯୋଜନା ଅମୋଘ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କିଛି ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରିବା ସହିତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ କହିଥିଲେ ।

କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରୁ ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ବଂଚିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସେମାନଙ୍କୁ କେନ୍ଦ୍ର ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆ ଯୋଜନା କେନ୍ଦ୍ର ଯୋଜନା ଠାରୁ ବହୁତ ଭଲ । 6ହଜାର ଟଙ୍କା ବଦଳରେ 10ହଜାର ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋହେଲା-ନୂଆପଡା ବିଜୁ ଏକ୍ସପ୍ରେସ ୱେର ଉଦଘାଟନ ସହିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ସମେତ 2100 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ।

ହଳଧର ବାଗ କୋଶଳୀ, ସମ୍ବଲପୁରୀ ସାହିତ୍ୟ ଗବେଷଣା କେନ୍ଦ୍ର ନିମନ୍ତେ ରାଜ୍ୟ ସରକାର 25 ଲକ୍ଷ ଟଙ୍କା ମଂଜୁର କରିଥିବା ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ବରଗଡର ଟାଟା କ୍ୟାନସର ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବା ଏବଂ ବରଗଡ ଚିନିକଳର ପୁନରୁଦ୍ଧାର ସଂପର୍କରେ ମଧ୍ୟ ମଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।