Odia News Portal

ପ୍ରମାଣ ହେଲା କରୋନା ଭୂତାଣୁ ଉଷ୍ମ ଜଳବାୟୁରେ କମ୍‌ ବ୍ୟାପୁଛି

ନୂଆଦିଲ୍ଲୀ () କରୋନା ଭୂତାଣୁ ଉଷ୍ମ ଜଳବାୟୁରେ କମ୍‌ ବ୍ୟାପୁଛି ବୋଲି ଏକ ସଦ୍ୟ ରିପୋର୍ଟରେ ପ୍ରକାଶ ପାଇଛି । ପୂର୍ବରୁ ଯଦିଓ ବୈଜ୍ଞାନିକମାନେ ଏହାକୁ ଖଣ୍ଡନ କରିଥିଲେ, ଏବେ ଏକ ସଦ୍ୟ ଗବେଷଣାତ୍ମକ ରିପୋର୍ଟରେ କିନ୍ତୁ ଏହା ସ୍ପଷ୍ଟ କରାଯାଇଛି କି ଉଷ୍ମ ଜଳବାୟୁରେ କରୋନା ଭୂତାଣୁ ଅଧିକ ବ୍ୟାପିବାକୁ ସମର୍ଥ ହୋଇ ନ ଥାଏ । ଏଭଳି ଖବର ଅନ୍ୟ କେଉଁ ଦେଶ ପାଇଁ ଯାହା ହେଉ ନା କାହିଁକି, ଭାରତ ପାଇଁ କିନ୍ତୁ ଶୁଭଙ୍କର ହୋଇଛି । ଭାରତରେ ଏବେ ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି । ଏପ୍ରିଲ ଓ ମେ ମାସରେ ସାଂଘାତିକ ଗରମ ଅନୁଭୂତ ହେବ । ଗୁଳୁଗୁଳି ବି ଅସହ୍ୟ ହେବ । ତେଣୁ କରୋନା ବ୍ୟାପିବ ନାହିଁ ।

ଏ କଥା ଗୋଟିଏ ଦୁଇଟି ନୁହେଁ, ବରଂ ଅନେକ ସଂସ୍ଥା ଏବେ ସ୍ପଷ୍ଟ କଲେଣି । ଶୀତଋତୁ ତୁଳନାରେ ଗ୍ରୀଷ୍ମ ଋତୁରେ କରୋନା ଭୂତାଣୁ ଜଣେ ବ୍ୟକ୍ତିଠାରୁ ବ୍ୟାପିବା ମୁସ୍କିଲ ହୋଇଥାଏ । ତେଣୁ ଏହାକୁ ଭାରତ କାବୁ କରିପାରିବ । ପଡ଼ୋଶୀ ପାକିସ୍ତାନ ମଧ୍ୟ ଏଥିରେ ସମର୍ଥ ହେବ । ପାକିସ୍ତାନରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧,୦୦୦ ପାର କରିଥିଲା ବେଳେ ମୃତ୍ୟୁ ସଂଖ୍ୟା ୮ ରହିଛି । ସେହିଭଳି ଭାରତରେ କରୋନା ରୋଗୀ ୬୦୦ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ତେଣୁ ଏହି ସଦ୍ୟ ରିପୋର୍ଟ ସତ୍ୟ ପ୍ରମାଣିତ ହୋଇପାରେ ।

ରିପୋର୍ଟଗୁଡ଼ିକ ଆହୁରି ଦର୍ଶାଇଛି ଯେ ଇନଫ୍ଲୁଏଞ୍ଜା ଭଳି କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଅତ୍ୟଧିକ ତାପମାତ୍ରାରେ ଏହି ଭୂତାଣୁ ତିଷ୍ଠିରହିବା କଷ୍ଟକର ହୋଇଛି । ଏମିତି କି ଗ୍ରୀଷ୍ମଋତୁରେ ଲୋକଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଉତ୍କୃଷ୍ଟ ରହିଥାଏ, ଯଦ୍ୱାରା ସଂକ୍ରମଣ ଆଶଙ୍କା କମ ରହିଥାଏ ।
ନର୍ଦର୍ଣ୍ଣ ହେମିସ୍ଫିୟରରେ ଏବେ ବସନ୍ତ ଋତୁ ଆଗମନ ହୋଇଥିବାରୁ ସେ ଅଞ୍ଚଳ ଗୁଡ଼ିକ କରୋନା ଭୂତାଣୁରୁ ତ୍ରାହି ପାଇବାକୁ ଯାଉଛନ୍ତି । ଏହି ଅଞ୍ଚଳଗୁଡ଼ିକ ଭୂତାଣୁ ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି । ଅଧିକ ଲୋକ ମରିଛନ୍ତି ଏବଂ ସଂକ୍ରମିତଙ୍କ ସଂଖ୍ୟା ବି ବେଶ୍‌ ଅଧିକ ରହିଛି । ଆଗକୁ ଏହି ସଂଖ୍ୟା ଦ୍ରୁଗ ଗତିରେ କମିବ ବୋଲି ଆଶା କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ବ୍ରିଟେନ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା ସାର ପାଟ୍ରିକ ବାଲାନ୍ସ ଉଭୟ ମଧ୍ୟ ଏହା ସ୍ୱୀକାର କରିଛନ୍ତି କି ଗ୍ରୀଷ୍ମ ଋତୁରେ କରୋନା ବ୍ୟାପିବା ଆଶଙ୍କା କମ ରହିଛି ।

ଗ୍ରୀଷ୍ମଋତୁରେ କରୋନା କମ୍‌ ବ୍ୟାପେ ବୋଲି ସେମିତି କୌଣସି ବଳିଷ୍ଠ ତଥ୍ୟ ନାହିଁ । କିନ୍ତୁ ସଦ୍ୟ ଘଟଣାଗୁଡ଼ିକରୁ ଏହା ଅନୁମେୟ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ଭଳି ଦେଶକୁ ମଧ୍ୟ ବିଶେଷଜ୍ଞମାନେ ଅଧ୍ୟୟନ କରିଛନ୍ତି । ନିକଟରେ ବେଜିଂ ଏବଂ ସିଂଘୁଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଚୀନର ୧୦୦ଟି ସହରରେ ବ୍ୟାପିଥିବା ଭୂତାଣୁ ଉପରେ ବ୍ୟାପକ ଅଧ୍ୟୟନ କରିଥିଲେ । ଅତ୍ୟଧିକ ତାତି ଏବଂ ଗୁଳୁଗୁଳି ଦ୍ୱାରା କୋଭିଡ-୧୯ ବ୍ୟାପିବା ଆଶଙ୍କା କମ ବୋଲି ସେମାନେ ଜାଣିବାକୁ ପାଇଛନ୍ତି ।
ଜଣେ ରୋଗୀଠାରୁ ଅନେକ ଲୋକଙ୍କୁ କରୋନା ବ୍ୟାପିବା ନେଇ ଅନେକ ନଜିର ରହିଛି । କିନ୍ତୁ ଗ୍ରୀଷ୍ମ ଋତୁରେ ଜଣେ ଲୋକଠାରୁ ଖୁବ କମ ସଂଖ୍ୟକ ଲୋକଙ୍କୁ ଭୂତାଣୁ ବ୍ୟାପିଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ୟୁନିଭର୍ସିଟି ଅଫ ମେରିଲାଣ୍ଡ ଏବଂ ମାସାଚୁସେଟ୍‌ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମ୍‌ଆଇଟି)ର ଗବେଷକମାନେ ମଧ୍ୟ ସମାନ ପ୍ରକାର ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।
ୟୁନିଭର୍ସିଟି ଅଫ ମେରିଲାଣ୍ଡର ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ଭାଇରୋଲୋଜିର ଆସୋସିଏଟ ପ୍ରଫେସର ମହମ୍ମଦ ସଜାଦି କହିଛନ୍ତି, ଆମେ ଅନେକ କିଛି ଘଟଣା ଉପରେ ତର୍ଜମା କରି ଜାଣିବାକୁ ପାଇଛୁ ଯେ ଗରମ ଅନୁଭୂତ ହେଉଥିବା ଅଞ୍ଚଳରେ ଲୋକଙ୍କ ମଧ୍ୟରେ କରୋନା ବ୍ୟାପିବାକୁ କମ୍‌ ସୁଯୋଗ ପାଇଥାଏ । କରୋନା ପାଇଁ ଏହା କଷ୍ଟକର ହୋଇଥାଏ । ତେଣୁ ଏବେ ଗରମ ଅନୁଭୂତ ହେଉଥିବା ଦେଶଗୁଡ଼ିକ ଉପରେ ତୁଳନାତ୍ମକ ଭାବେ କମ ବିପଦ ରହିଛି ବୋଲି କୁହାଯାଇ ପାରିବ ।
ଗବେଷକମାନେ ଆହୁରି ଜାଣିବାକୁ ପାଇଛନ୍ତି ଯେ ୱୁହାନ, ଟୋକିଓ ଏବଂ ମିଲାନରେ କରୋନା ଅଧିକ ବ୍ୟାପିଥିଲା । କାରଣ ସେଠାରେ ସେତେବେଳେ ଶୀତ ଜଳବାୟୁ ରହିଥିଲା । ଏହି ସମୟରେ ହାରାହାରି ତାପମାତ୍ରା ୫ସିରୁ ୧୧ସି ଏବଂ ଆର୍ଦ୍ରତା ୪୭ରୁ ୭୯% ରହିଥିଲା । ଏସଏସଆରଏନ ୱେବ୍‌ସାଇଟରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ମୁତାବକ କରୋନା ଭୂତାଣୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଉତ୍ତର ୟୁରୋପ, କାନାଡ଼ାକୁ ବ୍ୟାପିବା ଆଶଙ୍କା ରହିଛି ।
ଏମ୍‌ଆଇଟି ଗବେଷଣାରୁ ଜାଣିବାକୁ ମିଳିଛି ଯେ ଉକ୍ତ ଅଞ୍ଚଳରେ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ୯୦% କରୋନା ଭୂତାଣୁ ୩ସି ଏବଂ ୧୭ସି (ସେଣ୍ଟିଗ୍ରେଡ) ମଧ୍ୟରେ ବ୍ୟାପିଛି । ଆମେରିକାର ଆରିଜୋନା, ଟେକ୍ସାସ ଏବଂ ଫ୍ଲୋରିଡା ଷ୍ଟେଟରେ କରୋନା ଭୂତାଣୁ କମ୍‌ ବ୍ୟାପିଛି । ଏଭଳି ରିପୋର୍ଟ ଦେବା ପରେ ମଧ୍ୟ ଗବେଷକମାନେ କହିଛନ୍ତି ଯେ ଗରମ ପାଣିପାଗ ଥିଲେ ବି ସରକାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ହେବ । ସେହିଭଳି କେବଳ ଗ୍ରୀଷ୍ମ ଋତୁରେ କରୋନା କମ୍‌ ବ୍ୟାପିଥାଏ ବୋଲି କୁହାଯାଇ ପାରିବ ନାହିଁ । ଅନ୍ୟ କେତେକ କାରଣ ମଧ୍ୟ ଦାୟୀ ଥାଇପାରେ । ହାର୍ଭାର୍ଡ ସ୍କୁଲ ଅଫ ପବ୍ଲିକ ହେଲ୍‌ଥର ମହାମାରୀ ପ୍ରଫେସର ମାର୍କ ଲିପ୍‌ଷ୍ଟିକ୍‌ ଏଭଳି ମତପୋଷଣ କରିଛନ୍ତି ।