Odia News Portal

ଅଫିସ୍‌ ଭାଙ୍ଗି ଚୁରମାର କଲେ ଆଇନଜୀବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଆଇନଜୀବୀଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ୍‌ ଭାଙ୍ଗି ଚୁରମାର କରିଛନ୍ତି ଆଇନଜୀବୀ ।  ଯାହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା । ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର ।

କେଉଁଠି ଫୁଲ କୁଣ୍ଡ ଭାଙ୍ଗି ମାଟିରେ ଗଡୁଛି ତ ଆଉ କେଉଁଠି ଜିଲ୍ଲାପାଳଙ୍କ ନାମଫଳକ ତଳେ ଲୋଟୁଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସର ଏ ଅବସ୍ଥା ।  ଜିଲ୍ଲାପାଳଙ୍କ ଅଫିସରେ ଏଭଳି ଭଙ୍ଗାରୁଜା କରିଛନ୍ତି କିଛି ଦୁର୍ବୃତ୍ତ ।   ଘଟଣା ଥିଲେ ଏମିତି। ଶୁକ୍ରବାର  ଦିନ ୧୧ଟାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜମି ଅଧିଗ୍ରହଣ ସଂପର୍କିତ ଶୁଣାଣି ଥିଲା । ତେଣୁ ଆଇନଜୀବୀମାନେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ହେଲେ ଜିଲ୍ଲାପାଳ ଅନ୍ୟ ଅଧିକାରୀଙ୍କ ସହ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଥିଲେ । ବିଳମ୍ବ ହେବାରୁ ଆଇନାଜୀବୀମାନେ ଜିଲ୍ଲାପାଳଙ୍କୁ ପଚାରିବାକୁ ଯାଇଥିଲେ ।

କିନ୍ତୁ ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ତାତିଛନ୍ତି ଆଇନଜୀବୀ। ଅପରାହ୍ନରେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ଆଇନଜୀବୀ। ଜିଲ୍ଲାପାଳଙ୍କୁ ନପାଇ ତାତିଥିଲେ ଆଇନଜୀବୀ।  ପରିସ୍ଥିତି ଗରମ ଥିବା ବେଳେ କିଛି ଲୋକ ଅଫିସରେ ଥିବା କୁଣ୍ଡ, ଜିଲ୍ଲାପାଳଙ୍କ ନାମ ଫଳକ ଆଦି ଭାଙ୍ଗି ଦେଇଥିଲେ । ପରେ ଜିଲ୍ଲା କାର୍ଯ୍ୟାଳୟରୁ କର୍ମଚାରୀମାନଙ୍କୁ ବାହାରକୁ ବାହାର କରିଦେଇ ଥିଲେ ଆଇନଜୀବୀ। ଅଫିସ୍‌ ବନ୍ଦ କରିଦେବା ସହ ଆନ୍ଦୋଳନ କରିଥିଲେ ।  ଜିଲ୍ଲାପାଳ କ୍ଷମା ମାଗନ୍ତୁ ବୋଲି ଅଡିବସିଥିଲେ ।

ତେବେ ବରିଷ୍ଠ ପୋଲିସ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଆଇନଜୀବୀ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।