ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ହାତୀ ଆତଙ୍କ। ହାତୀଙ୍କ ଉତ୍ପାତରେ ଥରହର ହେଉଛି ଓଡ଼ିଶାର ଅଧିକାଂଶ ଅଞ୍ଚଳ। ଧାନ ଖାଇବା ଲାଗି ବିଭିନ୍ନ ରାଜ୍ୟର ହାତୀ ଏବେ ଓଡ଼ିଶା ମୁହାଁ। ହାତୀ କେବଳ ଫସଲ ଖାଉନାହାନ୍ତି, ଦଳିଚକଟି ଦେବାରୁ ଶହ ଶହ ଏକର ଜମିରେ ଧାନଫସଲ ନଷ୍ଟ ହେଉଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି। ଏହାସହ ତାଳ ଦେଇ ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢେଇ। ସୁଯୋଗ ଦେଖି ଅସାମାଜିକ ବ୍ୟକ୍ତି ଓ ଶିକାରୀ ହାତୀଙ୍କୁ ଟାର୍ଗେଟ କରୁଛନ୍ତି। ସେହିପରି ହାତୀଙ୍କ ଆକ୍ରମଣରେ ନିରୀହ ମଣିଷର ଜୀବନ ମଧ୍ୟ ଯାଉଛି।
ଏହି ହାତୀପଲ ଯେତିକି ଖାଉଛନ୍ତି, ତା’ଠାରୁ ବହୁଗୁଣା ଅଧିକ ଦଳିଚକଟି ନଷ୍ଟ କରିଦେଉଛନ୍ତି। କିଛି କ୍ଷଣରେ ମାଟିରେ ମିଶିଯାଉଛି ଚାଷୀଙ୍କ ବର୍ଷକର ପରିଶ୍ରମ। ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ବଳଭଦ୍ରପୁର ପଞ୍ଚାୟତର ଗାଁ ଗହୀରରେ ଏକର ଏକର ଜମିରେ ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି ହାତୀପଲ।