Odia News Portal

ଭଡ଼ାଟିଆଙ୍କୁ ତଡ଼ି ପାରିବେନି ଘର ମାଲିକ

ଭୁବନେଶ୍ୱର() କରୋନା ଏବେ ସମସ୍ତଙ୍କୁ ଭୟଭୀତ କରାଇଛି। ସମସ୍ତେ ନିଜ ନିଜ ସ୍ତରରେ ସଚେତନ ହୋଇଛନ୍ତି। ହେଲେ ଏବେ ଘରମାଲିକ ଭଡ଼ାଟିଆଙ୍କୁ ବିଦା କରି ଦେଉଥିବା ବେଳେ ଅଣଓଡ଼ିଆ ଶ୍ରମିକଙ୍କୁ ଠିକାଦାର ବିଦା କରିଦେଉଛି। ଫଳରେ ପାଠ ପଢ଼ିବା ପାଇଁ ମୁଣ୍ଡ ଗୁଞ୍ଜିଥିବା ଛାତ୍ର ହଠାତ୍ ଘରଛାଡ଼ି ବାର ଦୁଆର ହେଉଥିବା ବେଳେ କାମ ନ ପାଇ ଦିନ ମଜୁରିଆ ଓପାସ ରହୁଛି। ଏଭଳି ଚିତ୍ର ପଦାକୁ ଆସିବା ପରେ ପୁଲିସ କମିସନର କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ସରକାର କି ପୁଲିସ କେହି ଭଡ଼ାଟିଆଙ୍କୁ ଘରୁ ତଡ଼ିବା ପାଇଁ ନିର୍ଦ୍ଦେଶ ଦେଇ ନାହାନ୍ତି ବା ଅଣଓଡ଼ିଆ ଶ୍ରମିକଙ୍କୁ ବିଦା କରିବାକୁ କହିନାହାନ୍ତି। ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ଆଚାର୍ୟ୍ୟ ବିହାର ଅଞ୍ଚଳରେ ଥିବା ସମସ୍ତ ଘର ମାଲିକଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଆଚାର୍ୟ୍ୟ ବିହାର ପରିଷଦ। ଏହି ବିଜ୍ଞପ୍ତି ମୁତାବକ, ‘କରୋନା ଭାଇରସ ନ ବ୍ୟାପିବା ପାଇଁ ଭଡ଼ାଟିଆଙ୍କୁ ଘରୁ ତଡ଼ିବାକୁ ପଡ଼ିବ। ଏ ନେଇ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ତୁରନ୍ତ ସମସ୍ତ ଘରମାଲିକ ଭଡ଼ାଟିଆଙ୍କୁ ତଡ଼ନ୍ତୁ’ ବୋଲି ନୋଟିସ୍ରେ ଲେଖାଯାଇଛି। ପରିଷଦର ନୋଟିସ୍କୁ ଆଧାର କରି ଘରମାଲିକମାନେ ସମସ୍ତ ଭଡ଼ାଟିଆଙ୍କୁ ତୁରନ୍ତ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଛାତ୍ର ଘର ମାଲିକ କଥାରେ ଘର ଛାଡ଼ି ଚାଲି ଯାଇଥିବା ବେଳେ କେତେକ ପୁଲିସ କମିସନରଙ୍କୁ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇ କମିସନର ତୁରନ୍ତ ଏ ନେଇ ସ୍ପଷ୍ଟ କରିବା ସହ ଆଚାର୍ୟ୍ୟ ବିହାର ପରିଷଦକୁ ଜବାବ ମାଗିଥିଲେ। ଭଡ଼ାଟିଆଙ୍କୁ ଘରୁ ତଡ଼ିବା ପାଇଁ ପୁଲିସ କମିସନର କିମ୍ବା ସରକାର କୌଣସି ନିର୍ଦ୍ଦେଶ ଦେଇନଥିଲେ। କେବଳ ଘରୁ ତଡ଼ିବା ପାଇଁ ପୁଲିସ ଓ ସରକାରଙ୍କ ନାଁ ନେଇ ଏଭଳି ନୋଟିସ କରିଥିବା ପରିଷଦ ସ୍ବୀକାର କରିଥିଲା। ଦୋଷ ସ୍ବୀକାର ପରେ ମଧ୍ୟ ଏଭଳି ହଇରାଣ କରିଥିବାରୁ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ଯୋଜନା ହେଉଥିବା କମିସନର ସ୍ପଷ୍ଟ କରିଛନ୍ତି।