Odia News Portal

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୁଏ ୫୬ ପ୍ରକାର ଭୋଗ,ଜାଣନ୍ତୁ କାରଣ

ଭୁବନେଶ୍ୱର() ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଭକ୍ତ ବ୍ରତ ପାଳନ କରନ୍ତି । ଘରେ ବିଭିନ୍ନ ପ୍ରକାର ପ୍ରସାଦ ତିଆରି କରାଯାଇଥାଏ । ସାରା ଦେଶରେ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ । ଘର ଓ ମନ୍ଦିରକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜା ଯାଇଥାଏ । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ୫୬ ପ୍ରକାର ଭୋଗ ଅର୍ପଣ କରିବାର ପରମ୍ପରା ରହିଛି । ଏହି ପରମ୍ପରା କେବେ ଠାରୁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯୁଗ ଯୁଗ ଧରି ଏହି ପରମ୍ପରା ଚାଲି ଆସୁଛି । ୫୬ ଭୋଗ ଦ୍ୱାରା ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୁର୍ଣ କରିଥାନ୍ତି ବୋଲି ଧାର୍ମିକ ବିଶ୍ୱାସ ରହିଛି ।

୫୬ ଭୋଗକୁ ନେଇ ଅନେକ କଥା ପ୍ରଚଳିତ । ପ୍ରଚଳିତ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ମା ଯଶୋଦା ଦିନକୁ ୮ ଥର ଅର୍ଥାତ ଶ୍ରୀକୃଷ୍ଣଙ୍କୁ ଭୋଜନ କରାଉଥିଲେ । ଥରେ ବୃନ୍ଦାବନବାସୀଙ୍କ ଠାରୁ ରାଗି ଇନ୍ଦ୍ର ଭଗବାନ ଭୀଷଣ ବର୍ଷା କରାଇଥିଲେ । ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନବାସୀଙ୍କୁ ରକ୍ଷା କରିବାକୁ ନିଜ ଆଙ୍ଗୁଠିରେ ଗୋବର୍ଧନ ପର୍ବତକୁ ଉଠାଇ ରଖିଥିଲେ । ଶ୍ରୀକୃଷ୍ଣ ୭ ଦିନ ଯାଏଁ ପର୍ବତ ଉଠାଇ ରଖିଥିଲେ । ଏହି ସମୟରେ ବୃନ୍ଦାବନବାସୀ, ପଶୁପକ୍ଷୀ ଗୋବର୍ଧନ ପର୍ବତ ତଳେ ଶରଣ ନେଇଥିଲେ । ୭ ଦିନ ପରେ ବର୍ଷା ଛାଡିବା ପରେ ସମସ୍ତେ ବାହାରକୁ ବାହାରିଥିଲେ ।

୭ ଦିନ ଯାଏଁ ଶ୍ରୀକୃଷ୍ଣ କିଛି ଖାଇନଥିଲେ କି ପିଇନଥିଲେ । ନ ଖାଇ ନ ପିଇ ନିଜ ଆଙ୍ଗୁଠିରେ ଗୋବର୍ଧନ ପର୍ବତକୁ ଉଠାଇ ରଖିଥିଲେ । ଏହାପରେ ମାତା ଯଶୋଦା ଓ ସମସ୍ତେ ମିଶି ୮ ପ୍ରହାର ହିସାବରେ ଶ୍ରୀକୃଷ୍ଣଙ୍କ ପାଇଁ ୫୬ ଭୋଗ ତିଆରି କରିଥିଲେ । ସେହିଦିନ ଠାରୁ ୫୬ ଭୋଗ ପରମ୍ପରା ଆରମ୍ଭ ହୋଇଛି ବୋଲି ବିଶ୍ୱାସ ରହିଛି ।