Odia News Portal

ସ୍ବଚ୍ଛତା ନିମନ୍ତେ ‘କାୟାକଳ୍ପ’ ସମ୍ମାନ

ଭୁବନେଶ୍ବର () ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସହରାଚଂଳର ପ୍ରାୟ ୪୨ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ସମ୍ମନରେ ସମ୍ମାନିତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆଜି ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ୨୦୧୮-୧୯ ବର୍ଷ ନିମନ୍ତେ କାୟାକଳ୍ପ ସମ୍ମାନ ନିମନ୍ତେ ଚୟନ ହୋଇଥିବା ସରକାରୀ ଡାକ୍ତର ଖାନା ଗୁଡିକୁ ସମ୍ମାନିତ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସ୍ବାସ୍ଥ୍ୟରକ୍ଷା ପାଇଁ ସ୍ବଚ୍ଛତା ଓ ପରିସ୍କାର ପରିଚ୍ଛନତା ଅଭ୍ୟାସ ଗୁରୁତ୍ବପୂର୍ଣ୍ଣ । ରୋଗଠାରୁ ନିଜକୁ ସୁରକ୍ଷିତ ରଖିବା ସବୁଠାରୁ ସରଳ ଓ ସ୍ବଳ୍ପଖର୍ଚ୍ଚରେ କରାଯାଉଥିବା ପ୍ରତିଶେଧକ ବ୍ୟବସ୍ଥା । ଡାକ୍ତରଖାନାମାନଙ୍କୁ ଆସୁଥିବା ରୋଗୀମାନଙ୍କ ଶରୀରରେ ରୋଗ ପ୍ରତି୍େରାଧକ ଶକ୍ତି କମ୍ ଥିବାରୁ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ଅଧିକ । ତେଣୁ ଡାକ୍ତରଖାନାମାନଙ୍କରେ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ପରିସ୍କାର ପରିଚ୍ଛନତା ବା ସ୍ବଚ୍ଛତା ବଜାୟ ରଖିବା ବ୍ୟବସ୍ଥା ସୁନିଶ୍ଚିତ ହେବା ଜରୁରୀ । ଡାକ୍ତରଖାନାମାନଙ୍କରେ ରୋଗସଂକ୍ରମଣକୁ ରୋକିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ପରିସ୍କର ପରିଚ୍ଛନତା ।ସେଥିପାଇଁ ସରକାରୀ ଡାକ୍ତରଖାନାଗୁଡିକରେ ପରିସ୍କାର ପରିଚ୍ଛନତାକୁ ପ୍ରୋତ୍ସାହିତ କରିବା ଓ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ନିୟମିତ କରାଇବା ନିମନ୍ତେ କାୟାକଳ୍ପ ସମ୍ମାନ ବ୍ୟବସ୍ଥା କରାଯାଇଛି ।

୨୦୧୮-୧୯ ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଚଂଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ଏହି କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରାଯାଇଛି ।  କାୟାକଳ୍ପ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଡାକ୍ତରଖାନାଗୁଡିକୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ବାହ୍ୟ ସମୀକ୍ଷକମାନଙ୍କ ଦ୍ବାରା ସମୀକ୍ଷା କରାଯାଇଥିଲା । ପରେ ରାଜ୍ୟରସ୍ତୀୟ କ୍ବାଲିଟି ଆସ୍ୟୁରାନ୍ସ ସମୀକ୍ଷା ବୈଠକରେ ଏହି ଆକଳନକ ଅନୁସାରେ କାୟାକଳ୍ପ ପୁରଷ୍କାର ବିଜେତା ଓ ରନର୍ସ ଅପ ହୋଇଥିବା ଡାକ୍ତରଖାନାଗୁଡିକର ନାମ ସ୍ଥିର କରାଯାଇଛି । ତଦନୁଯାୟୀ ଚଳିତ ବର୍ଷ ୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୪୮ଟି ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ/ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୮୬ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୪୨ ଟି ସହରାଚଂଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ସମ୍ମାନ ପ୍ରଦାନ କରାଯାଇଛି ।

ପ୍ରଥମସ୍ଥାନ ଅଧିକାର କରିଥିବା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ୫୦ ଲକ୍ଷ ଟଙ୍କା , ୨ୟ ସ୍ଥାନ ପାଇଁ ୨୦ ଲକ୍ଷ ଟଙ୍କା ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରଥମ ହୋଇଥିବା ଉପଖଣ୍ଡ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ୧୫ ଲକ୍ଷ ଟଙ୍କା , ୨ୟ ସ୍ଥାନ ପାଇଁ ୧୦ ଲକ୍ଷ ଟଙ୍କା  ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ଏକ ଲକ୍ଷ ଟଙ୍କା ଏବଂ ପ୍ରାଥମିକ ସହରାଚଂଳ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ପ୍ରଥମ ସ୍ଥାନ ପାଇଁ ୨ ଲକ୍ଷ ଟଙ୍କା  ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ୫୦ ହଜାର ଟଙ୍କା ଲେଖା ପୁରସ୍କାର ପ୍ରଦାନ କରାଯାଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟର ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାମାନଙ୍କରେ ସ୍ବଚ୍ଛତା , ପରିସ୍କାର ପରିଚ୍ଛନତା ବଜାୟ ରଖିବା ସଂପର୍କରେ ଆଲୋକପାତ କରି ଡାକ୍ତରଖାନା କର୍ତୃପକ୍ଷ ଏ ନେଇ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ ସଂପର୍କରେ ଆଲୋକପାତ କରି ଏ ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ଯୁଗ୍ମଶାସନ ସଚିବ ଯାମିନୀ ଷଢଙ୍ଗୀ , ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ସୁଶିଲ କର ଏବଂ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।