Odia News Portal

ନୂଆ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ କରୁଛି: ନବୀନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚତୁର୍ଥ ପାଳିର ସମ୍ଭବତଃ ଶେଷ ମନ୍ତ୍ରୀ ପରିଷଦ ବୈଠକରେ ଆଜି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକରେ ସମୀକ୍ଷା କରିଛନ୍ତି। ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ସେ କହିବା ସାଂଗେ ସାଂଗେ ନୂତନ ଭାବେ କାର୍ୟ୍ୟକାରୀ ହେଉଥିବା କୃଷକ କଲ୍ୟାଣକାରୀ ଯୋଜନା ‘କାଳିଆ’ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏ ପର୍ୟ୍ୟନ୍ତ ୩୨ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ସେମାନଙ୍କର ବ୍ୟାଙ୍କ୍ ଜମା ଖାତାକୁ ପଠାଇ ଦିଆଯାଇସାରିଲାଣି ବୋଲି ସେ କହିଛନ୍ତି।

ଦୀର୍ଘ ୫ ବର୍ଷ ମଧ୍ୟରେ ରାଜ୍ୟର ବିକାଶକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ନୂଆ ଓଡ଼ିଶା ଗଠନ ପାଇଁ ଆମ ସରକାର ସର୍ବଦା କାର୍ୟ୍ୟ କରୁଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର । ଏବଂ ଗତ ୫ ବର୍ଷ ପୂର୍ବେ ଯେଉଁ ପ୍ରତିଶ୍ରୁତି ରଖିଥିଲୁ ସେଗୁଡ଼ିକ ତର୍ଜମା ଓ ସମୀକ୍ଷା କଲୁ । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତିର ମା ମାନେ, ପଞ୍ଚାୟତିରାଜ ପ୍ରତିନିଧିଗଣ, ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀ ଗଣ ସମସ୍ତଙ୍କ ସହଯୋଗରେ ଆମେ ଏତେ ବାଟ ଆସି ପାରିଛୁ ।

ଜଗନ୍ନାଥଙ୍କ ଆର୍ଶୀବାଦରୁ ଲୋକଙ୍କ ସେବା କରୁଛୁ । ଯେଉଁ ପ୍ରତିଶ୍ରୁତି ରାଜ୍ୟ ସରକାର ଚତୁର୍ଥ ପାଳିରେ ଦେଇଥିଲେ ତାହାକୁ ପୂରଣ କରିବାରେ ରାଜ୍ୟବାସୀଙ୍କ ସହଯୋଗ ମିଳିଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର । ମୋ ପରିବାର ପାଖରେ ମୁଁ ଯାହା କଥା ଦେବି, ତାକୁ ପୂରଣ କରି ନୂଆ ଓଡ଼ିଶା ଗଠନ ପାଇଁ ମୁଁ କାମ କରି ଚାଲିବି । ଏଥିପାଇଁ ଆପଣଙ୍କ ଆଶୀର୍ବାଦ ହିଁ ମୋର ଶକ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଅତିରିକ୍ତ ୪ଲକ୍ଷ ୮୦ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ପଠାଇଛନ୍ତି ।

ସେହିପରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା କରିଛନ୍ତି । ଯେଉଁଥିରେ ରାଜ୍ୟର କୃଷକଙ୍କ ଉନ୍ନତି ସାକାର ହୋଇପାରିଛି ।