Odia News Portal

ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ

ମାଲକାନଗିରି() ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାଁ ରେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲାକୁ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ପୋଲିସ ରୁଜୁ କରିଛି । ମୃତ୍ୟୁର ଗତ ୧୦ ମାସ ପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଚାରି ଜଣଙ୍କ ନାମରେ କେଶ ରୁଜୁ କରିଛି ମାଲକାନଗିରି ପୋଲିସ । ଜିଲ୍ଲାପାଳ ମନିଷ ଅଗ୍ରୱାଲ, ଡିଇଓ ଭି.ବେଣୁ, ଷ୍ଟେନୋ ପ୍ରକାଶ ସ୍ବାଇଁ ଏବଂ ଅବସରପ୍ରାପ୍ତ ଓଆରଏସ ଭଗବାନ ପାଣିଗ୍ରାହୀଙ୍କ ନାମରେ ଆଇପିସି ଧାରା ୩୦୨,୫୦୬, ୨୦୧, ୨୦୪,୧୨୦(ବି) ଏବଂ ୩୪ ଆପିସିରେ କେଶ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ମାମଲାକୁ ଡିଏସପି ବଳଭଦ୍ର ଦୀପଙ୍କୁ ତଦନ୍ତ ଦାଇତ୍ୱ ଦିଆଯାଇଛି ।

ପ୍ରକାଶ ଥାଉକି ଗତ ଡିସେମ୍ବର ୨୭ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ ଦେହ ସ୍ଥାନୀୟ ସତୀଗୁଡା ଡ୍ୟାମରୁ ମିଳିଥିଲା।

ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ନପାଇବାରୁ ପରିବାର ଲୋକେ ବାଧ୍ୟ ହୋଇ ଚାରି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ।….ତେବେ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ଦକ୍ଷିଣାଞ୍ଚଳ ଡିଏସପିଙ୍କ ନେତୃତ୍ବରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୌଣସି ଟଙ୍କା ହେରଫେରକୁ ନେଇ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଇଛି। ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ହିଁ ତାଙ୍କ ସ୍ବାମୀଙ୍କୁ ହତ୍ୟା କରି ସତୀଗୁଡା ଡ୍ୟାମରେ ଫିଙ୍ଗି ଦେଇଥିବା ପତ୍ନୀ ବନଜା ପଣ୍ଡା ଏତଲାରେ ଦର୍ଶାଇଛନ୍ତି।