Odia News Portal

ଡିଲରଙ୍କୁ ଗାଡି ପଞ୍ଜିକରଣ କ୍ଷମତା ଦେଇ ଅଡୁଆରେ ସରକାର

ଭୁବନେଶ୍ୱର()  ଡିଲରଙ୍କ ହାତକୁ ଆରଟିଓ କ୍ଷମତା ଟେକିଦେଇ ପରିବହନ କର୍ତ୍ତୃପକ୍ଷ ଏବେ ଅକଳରେ । ଏଭଳି ନିଦେ୍ର୍ଧଶନାମା ବିରୁଦ୍ଧରେ ଚାରିଆଡୁ ମତପ୍ରକାଶ ପାଇବାପରେ ଏହାର ଆଇନ୍‍ଗତ ଦିଗ ତର୍ଜମାପାଇଁ ପରିବହନ ବିଭାଗ ପକ୍ଷରୁ ଆଇନ୍‍ ବିଭାଗର ମତାମତ ଲୋଡିବାପାଇଁ ପ୍ରସ୍ତୁତି ଚାଲିଥିବାର ସୂଚନା
ମିଳିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପରିବହନ କମିଶନରଙ୍କ ନିଦେ୍ର୍ଧଶନାମାକୁ ନେଇ ବିଭାଗ ସନ୍ତୁଷ୍ଟ ନୁହେଁ । ଏଭଳି କାର୍ଯ୍ୟ ଆଇନ୍‍ସିଦ୍ଧ ନୁହେଁ ବୋଲଇ କର୍ତ୍ତୃପକ୍ଷଙ୍କ ହୃଦୟଙ୍ଗମ ହୋଇଛି । ତେଣୁ ଏ ସଂକ୍ରାନ୍ତରେ ଆଇନ୍‍ ବିଭାଗର ମତ ଲୋଡିବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯଦି ଆଇନ୍‍ ବିଭାଗ ଏହା ଉପରେ ଆପତ୍ତି ଉଠାଇବ ତେବେ ପରିବହନ କମିଶନ ଜାରି କରିଥିବା ନିଦେ୍ର୍ଧଶନାମା ସଂଶୋଧନ କିମ୍ବା ପ୍ରତ୍ୟାହାର ହେବ । ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଉଲ୍ଲେଖନୀୟ ଯେ ଗାଡିମୋଟର ବିକ୍ରି ସହିତ ଏବେ ପଞ୍ଜିକରଣ ଓ ନମ୍ବର ପ୍ରଦାନ ଦାୟିତ୍ୱ ଏବେ ଡିଲରଙ୍କ ହାତରେ । ପୂର୍ବରୁ ଏହି କାର୍ଯ୍ୟ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ କରୁଥିଲେ । ହେଲେ ପେପରଲେସ୍‍ କାର୍ଯ୍ୟ ଓ ଆରଟିଓ ଅଫିସରେ ଲୋକବଳ ଅଭାବ ଦେଖାଇ ପରିବହନ କମିଶନର ଏହି କାର୍ଯ୍ୟକୁ ଡିଲରଙ୍କ ହାତକୁ ଟେକିଦେଲେ । ଡିଲରମାନେ ଗାଡି ବିକ୍ରି କରିବା ସହିତ ସେହିଠାରେ ନମ୍ବର ପ୍ରଦାନ କରିବେ ଓ ଏ ବାବଦୀୟ ଅର୍ଥ ଆଦାୟ କରିବେ । ଆରଟିଓ ଦପ୍ତର କେବଳ ଅନ୍‍ଲାଇନ୍‍ରେ କାଗଜପତ୍ର ଯାଞ୍ଚ କରିବେ । ଏହି ନିୟମ କାର୍ଯ୍ୟକାରୀ ପରେ ଡିଲରମାନଙ୍କ ଦୌରାତ୍ମ୍ୟ ଧିରେ ଧିରେ ବଢିବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ରାଜଧାନୀର ଗୋଟିଏ ଗାଡି ଡିଲରକୁ ଏଥିପାଇଁ ଦଣ୍ଡିତ କରାଯାଇଛି ।

ତେବେ ନମ୍ବର ପ୍ରଦାନ କ୍ଷମତା ଡିଲରଙ୍କ ହାତକୁ ଯିବାପରେ ସେମାନେ ଧିରେ ଧିରେ ପସନ୍ଦର ନମ୍ବରକୁ ବିକ୍ରି କରିବା ଆରମ୍ଭ କରିଦେଉଥିବା ନେଇ ଆଲୋଚନା ହେଉଛି । ଏଥି ସହିତ ପୂର୍ବରୁ ଯେଉଁ ବାବୁ ଭାୟାମାନେ ନିଜ ପସନ୍ଦର ନମ୍ବରଟିଏ ପାଇବାକୁ ଆରଟିଓ ଅଫିସକୁ ଫୋନ୍‍ କରୁଥିଲେ ସେମାନେ ଏବେ ଡିଲରଙ୍କ ନିକଟରେ ଗୋଡ ଭାଙ୍ଗି ଛିଡା ହେଉଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ପଞ୍ଜିକରଣ ଓ ନମ୍ବର ପ୍ରଦାନ କ୍ଷମତା ପାଇଲା ପରେ ଡିଲରମାନେ ଏବେ ଏହାକୁ ଆଳ କରି ଗ୍ରାହକଙ୍କ ଠାରୁ ରୋଡ ସାଇଡ୍‍ ସହାୟତା ଓ ଅଧିକ ଦିନ ଇନସୁ୍ୟରାନ୍ସ ବାବଦରେ ଟଙ୍କା ଆଦାୟ କରୁଛନ୍ତି ।

ଏ ସଂକ୍ରାନ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ ସରକାରୀ ଅର୍ଥ ଆଦାୟ କରିବା କ୍ଷମତା ଘରୋଇ ଲୋକଙ୍କ ହାତକୁ ଯିବାକଥା ନୁହେଁ । ଏହା ସମ୍ପୂର୍ଣ୍ଣ ବେଆଇନ୍‍ । ଏଥି ସହିତ ଗାଡିମୋଟରର ଫିଟ୍‍ନେସ୍‍ ଯାଞ୍ଚ କରିବାକୁ ଡିଲରଙ୍କ ନିକଟରେ ତାଲିମପ୍ରାପ୍ତ ଅଧିକାରୀ ନାହାନ୍ତି । ତେଣୁ ସରକାର ଏଭଳି ନିଦେ୍ର୍ଧଶ ଦେବା ପୂର୍ବରୁ ଆଇନ୍‍ ବିଭାଗର ମତ ଲୋଡିବାର ଥିଲା । ସେହିଭଳି ପ୍ରତ୍ୟେକ ଆରଟିଓ ଦପ୍ତରରେ ଏବେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ, କମ୍ପୁ୍ୟଟର ଓ ଅନ୍ୟାନ୍ୟ ଭିତ୍ତିଭୂମି ଥିବାବେଳେ କାହା ସ୍ୱାର୍ଥରୋ ଡିଲରଙ୍କ ହାତକୁ ଏହି କ୍ଷମତା ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସିଏ ଯାହା ହେଉନା କାହିଁକି ପରିବହନ କର୍ତ୍ତୃପକ୍ଷ ଡିଲରଙ୍କୁ କ୍ଷମତା ଦେଇ ଏବେ ଆଇନ୍‍ ଜାଲରେ ଛନ୍ଦିହେବାକୁ ଯାଉଛନ୍ତି । ଆଇନ୍‍ ବିଭାଗର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ଥିବାବେଳେ ଡିଲରଙ୍କୁ ଏଭଳି କ୍ଷମତା ଦିଆଯିବା ସମ୍ପୂର୍ଣ୍ଣ ବେଆଇନ୍‍ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।