Odia News Portal

ବଦଳିଲା ନାଇଟ କର୍ଫ୍ୟୁ ସମୟ

ଭୁବନେଶ୍ୱର() ଆଜି ସରୁଛି ଅନ୍‌ଲକ୍ ୧.୦ । କାଲିଠାରୁ କିଛି ନିୟମରେ ପରିବର୍ତ୍ତନ କରାଯାଉଛି । ଏହି ଅବସରରେ ରାଜ୍ୟସରକାର ଗାଇଡ୍ ଲାଇନ୍‌ରେ କିଛି ପରିବର୍ତ୍ତନ କରିଛନ୍ତି । ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ କରୋନା ଲଢ଼େଇରେ ଓଡ଼ିଶାର କରୋନାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି ।

ଗତ ସାଢ଼େ ତିନି ମାସ ହେଲା ଅଦୃଶ୍ୟ ଶକ୍ତି ସହ ଲଢ଼େଇ ଚାଲିଛି । ତଥାପି ଏଭଳି ସଂକଟମୟ ପରିସ୍ଥିତିରେ ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ମଧ୍ୟ ନଜର ଦେବାକୁ ପଡ଼ିବ । କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବ ପରି ନିୟମ କଡ଼ାକଡ଼ି ରହିବ ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ କିଛି ନିୟମରେ କୋହଳ କରାଯାଇଛି ।

ରାଜ୍ୟରେ ଆସନ୍ତା ଅଗଷ୍ଟ ୩୧ ଯାଏ ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେହିପରି ରାତ୍ରି କର୍ଫ୍ୟୁରେ କୋହଳ କରାଯାଇଛି । ଏବେ ଏହି କଟକଣା ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ।

ଅନ୍ୟପକ୍ଷରେ ଧାର୍ମିକ ଅନୁଷ୍ଠାନ ପୂର୍ବ ପରି ବନ୍ଦ ରହିବ । ଶୋଭାଯାତ୍ରା, ରାଜନୈତିକ ଓ ଧାର୍ମିକ ସମାବେଶ ଉପରେ ପୂର୍ବ ପରି କଟକଣା ଜାରି ରହିବ ।

ତେବେ ଜୁଲାଇ ମାସ ସାରା ୧୦ଟି ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍ ରହିବ । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, ମୟୁରଭଞ୍ଜ, ଝାରସୁଗୁଡ଼ା, କେନ୍ଦୁଝର, ଜଗତସିଂହପୁର ଓ ଯାଜପୁର ।