Odia News Portal

ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ଜଗା-ବଳିଆଙ୍କ ଅସ୍ତ୍ରୋପଚାର

ଭୁବନେଶ୍ବର ()  ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ବରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଘଟଣା ଲିମ୍କା ବୁକ୍ ଅଫ୍ ରେକର୍ଡସର ୨୦୨୦ ସଂସ୍କରଣରେ ସ୍ଥାନ ପାଇଛି । ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସଠାରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା ।

ଓଡ଼ିଶାର ମାତ୍ର ୨୮ ମାସର ଦୁଇ ଯାଆଁଳା ଶିଶୁପୁତ୍ର ଜଗା-ବଳିଆଙ୍କ ମୁଣ୍ଡ ଖପୁରୀ ସହ ଯୋଡ଼ି ହୋଇ ରହିଥିବା ବେଳେ ୧୨୫ ଜଣ ଡାକ୍ତର ଏବଂ ଡାକ୍ତରଖାନାର ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏହି ଟିମ୍ ୨ ଶିଶୁଙ୍କ ଯୋଡ଼ାମୁଣ୍ଡକୁ ଅଲଗା କରିବାରେ ନିୟୋଜିତ ହୋଇଥିଲେ । ପ୍ରଫେସର ମହାପାତ୍ର ବର୍ତ୍ତମାନ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ଯୁନିଭର୍ସିଟି)ର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଛନ୍ତି ।

ଏହି ଜଟିଳ ଅସ୍ତ୍ରୋପଚାର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା । ପ୍ରଥମ ଅସ୍ତ୍ରୋପଚାର ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ କରାଯାଇଥିବା ବେଳେ ଦ୍ବିତୀୟ ଅସ୍ତ୍ରୋପଚାର ସେହିପରି ଅକ୍ଟୋବର ୨୫ ତାରିଖରେ କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ଭାରତର ପ୍ରଥମ ଯୋଡ଼ାମୁଣ୍ଡ (କ୍ରାନିଓପାଗସ୍) ସର୍ଜରୀ ହୋଇଥିବା ନେଇ ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ।

ଅପରେସନ କରିବା ସମୟର ପ୍ରଫେସର ମହାପାତ୍ର ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ବରେ ଥିଲେ । ମଙ୍ଗଳବାର ସୋଆଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ମହାପାତ୍ର କହିଛନ୍ତି ଯେ, ଏହି ଅପରେସନ୍ ଯଦିଓ ଖୁବ୍ ଜଟିଳ ଏବଂ ଆହ୍ବାନପୂର୍ଣ୍ଣ ଥିଲା ତେବେ ଏହା ଭାରତର ପ୍ରଥମ ସଫଳ ଯୋଡ଼ାମୁଣ୍ଡ (କ୍ରାନିଓପାଗସ୍) ସର୍ଜରୀ ।

ନୂଆଦିଲ୍ଲୀର ଏମ୍ସଠାରେ ଥିବା ସମସ୍ତ ଆବଶ୍ୟକୀୟ ସୁବିଧା ଏବଂ ବିଶେଷଜ୍ଞମାନଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି କହିବା ସହ ତାଙ୍କ ସହଯୋଗୀ ପ୍ରଫେସର ଦୀପକ କୁମାର ଗୁପ୍ତା ଏବଂ ଅନେକ ସଂଖ୍ୟକ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର କଠିନ ପରିଶ୍ରମ ଯୋଗୁଁ ଦୁଇ ଯାଆଁଳା ଶିଶୁଙ୍କୁ ଅଲଗା କରାଯାଇପାରିଲା ବୋଲି ସେ କହିଛନ୍ତି ।

ଏହି ଅପରେସନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଳିଆର ମସ୍ତିଷ୍କରେ ଏମ୍ସର ଭେନ୍ବ୍ୟାଙ୍କରୁ ଭେନ୍(ଶିରା) ଆଣି ସଂଯୋଗ କରିବା । ଏହି ଦୁଇ ଶିଶୁଙ୍କ ଯୋଡାମୁଣ୍ଡରେ ମାତ୍ର ଗୋଟିଏ ଭେନ୍ ହିଁ ରହିଥିଲା । ତେଣୁ ଏହି ପ୍ରକ୍ରିୟା ସାରା ପୃଥିବୀରେ ପ୍ରଥମ ବୋଲି ସେ କହିଛନ୍ତି ।

ଜଗା-ବଳିଆ ଯେତେବେଳେ ଏମ୍ସରେ ଭର୍ତି ହୋଇଥିଲେ, ସେବେବେଳେ ପ୍ରାଥମିକ ଆକଳନରୁ ଏହି ଦୁଇ ଶିଶୁ ଅପରେସନ ପ୍ରକ୍ରିଆକୁ ସହ୍ୟ କରିପାରିବେ କି ନାହିଁ ତାହା ଚିନ୍ତାର କାରଣ ଥିଲା । ତେବେ ୨୬ ଜୁଲାଇ ୨୦୧୭ରେ ଦୀର୍ଘ ୧୨ ଘଂଟା ଧରି ଦୁଇ ଶିଶୁଙ୍କୁ ନିଶ୍ଚେତନ କରି ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ଅପରେସନ କରାଯିବାର ନିଷ୍ପତି ନିଆଗଲା ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଜଗା-ବଳିଆଙ୍କର ଅପରେସନ୍ କରିବା ପାଇଁ ଗଠିତ ଟିମ୍ ଆଲବର୍ଟ ଆଇନଷ୍ଟାଇନ୍ କଲେଜ ଅଫ୍ ମେଡ଼ିସିନ୍, ବ୍ରୋନକ୍ସ, ନ୍ୟୁୟର୍କର ପ୍ରଖ୍ୟାତ ଶିଶୁରୋଗ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଜେମ୍ସ ଟି ଗୁଡ୍ରିକଙ୍କଠାରୁ ପରାମର୍ଶ ନେଇଥିଲେ । କାରଣ ପ୍ରଫେସର ଗୁଡ୍ରିକ୍ ବିଶ୍ବର ଏ କ୍ଷେତ୍ରରେ ସବୁଠାରୁ ବଡ଼ ବିଶେଷଜ୍ଞ ଏବଂ ସେ ପୂର୍ବରୁ ଏଭଳି ଦୁଇଟି ଅପରେସନ ମଧ୍ୟ କରିସାରିଛନ୍ତି ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ଅପରସନ କରିବା ପୂର୍ବରୁ ଆମେ ଅନେକ ତଥ୍ୟ ସଂଗ୍ରହ କରିଥିଲୁ ଏବଂ ଅପରେସନ ସମ୍ପାଦନ କରିବା ପୂର୍ବରୁ ତିନୋଟି ଡ୍ରାଏ ରନ୍ ମଧ୍ୟ କରଥିଲୁ । ଆମେ ଜାଣିଥିଲୁ ହୁଏତ ୨୫ରୁ ୩୦ ପ୍ରତିଶତ ସଫଳତା ମିଳିପାରେ । କିନ୍ତୁ ଏମ୍ସର ପୂରା ଟିମ୍ ଏହି ଅପରେସନକୁ ଶତ ପ୍ରତିଶତ ସଫଳ କରିବାରେ ନିଜକୁ ନିୟୋଜିତ କରିଥିଲେ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଏଭଳି ଅସ୍ତ୍ରୋପଚାର ସଫଳତର ହାର ଖୁବ କମ୍ ରହିଥିବା ବେଳେ ଗତ ୩୩ ବର୍ଷ ମଧ୍ୟରେ ବିଶ୍ବରେ ଏଭଳି ମାତ୍ର ୧୨ରୁ ୧୩ଟି ସର୍ଜରୀ କରାଯାଇଥିବା ସେ କହିଛନ୍ତି ।

ଜଗା-ବଳିଆ ଏମ୍ସରେ ଦୁଇବର୍ଷ ରହିବା ପରେ ଓଡ଼ିଶା ଫେରିଛନ୍ତି । ଯଦିଓ ସେମାନେ ସୁସ୍ଥ ଅଛନ୍ତି ବଳିଆ ଶରୀରରେ ଉନ୍ନତି ଟିକେ ମନ୍ଥର ଗତିରେ ହେଉଛି । ତେବେ ଆମକୁ ଆହୁରି ଦୁଇ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।