Odia News Portal

ଗାଡ଼ି ପାସ୍‌ର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର () ଲକ୍‌ଡାଉନ୍‌ ଘୋଷଣା ପରେ ମଧ୍ୟ ରାଜଧାନୀରେ ଗାଡ଼ି ଚାଳକଙ୍କ ଭିଡ଼ କମି ନଥିଲା । ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ଓ ବଜାରଘାଟରେ ଭିଡ଼ ବଢ଼ିଥିଲା । କେତେକ ଗାଡ଼ି ଚାଳକ ଅନାବଶ୍ୟକ ଭାବେ ବିଭିନ୍ନ ବାହାନା ଦେଖାଇ ରାଜଧାନୀରେ ବୁଲିଲେ । ଫଳରେ କମିଶନରେଟ୍‌ ପୁଲିସ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ଗାଡ଼ି ପାସ୍‌ ବ୍ୟବସ୍ଥା କରା ଯାଇଥିଲା ।

ବିଶେଷକରି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ବ୍ୟକ୍ତିଙ୍କୁ ଗାଡ଼ି ପାସ୍‌ ଯୋଗାଇ ଦିଆ ଯାଇଥିଲା । ମୁଖ୍ୟତଃ ହସ୍ପିଟାଲ, ମିଡିଆ, ବ୍ୟାଙ୍କ କର୍ମଚାରୀଙ୍କୁ ପାସ୍‌ ଯୋଗାଇ ଦିଆ ଯାଇଥିଲା । କିନ୍ତୁ କିଛି ପାସ୍‌ଧାରୀ ଏହି ପାସ୍‌ର ଅପବ୍ୟବହାର କରୁଥିବା ଜଣାପଡ଼ିଛି । ସେମାନେ ଏହି ପାସ୍‌କୁ ବ୍ୟକ୍ତିଗତ କାମରେ ବ୍ୟବହାର କରୁଛନ୍ତି । କେବଳ ଘରୁ ଅଫିସ ଯିବାପାଇଁ ଗାଡ଼ି ପାସ୍‌ ମଞ୍ଜୁର ହୋଇଥିଲା । ତେଣୁ ଗାଡ଼ି ପାସ୍‌କୁ ଏଭଳି ଅପବ୍ୟବହାର କଲେ ପାସ୍‌ ସିଜ୍‌ ହେବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍‌ କରି ଜଣାଇଛନ୍ତି । ଗାଡ଼ି ପାସ୍‌ର ଏଭଳି ଅପବ୍ୟବହାର ନ କରିବା ପାଇଁ କମିଶନର ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି ।