ଭୁବନେଶ୍ୱର() ରାଜ୍ୟରେ ଅଗ୍ନିଶମ ଆଇନ୍କୁ କଡାକଡି ପାଳନ ଉପରେ ସରକାର ଜୋର ଦେବା ସହିତ କୌଣସି ଠାରେ ଅଗ୍ନିକାଣ୍ଡରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ରାଜଭବନ ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡରେ ଧିମା କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ଉଠିଛି । ଗୋଟିଏ ପଟେ ପୁଲିସ୍ ନିଜଆଡୁ ମାମଲା ରୁଜୁ କରିଥିବାବେଳେ କ୍ଷତିଗ୍ରସ୍ତ ଗାଡିମାଲିକମାନେ ଥାନାର ଦ୍ୱାରସ୍ତ ହୋଇଛି । ତେବେ ଏ କ୍ଷେତ୍ରରେ ପେଟ୍ରୋଲ ଟାଙ୍କି ମାଲିକ କିମ୍ବା ଆଇଓସିଏଲ୍ କର୍ତ୍ତୃପକ୍ଷ କାହା ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ସାଧାରଣ ଲୋକେ ଜାଣିପାରୁ ନାହାନ୍ତି ।
ଅତୀତରେ ରାଜ୍ୟରେ ଘଟିଥିବା ଅନେକ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବହୁ ନଜିର ରହିଛି । ନିକଟରେ କଟକର ଗୋଟିଏ କୋଭିଡ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିବାପରେ ତୁରନ୍ତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହିଭଳି ମାଳ ମାଳ ନଜିର ରହିଛି । ତେବେ ରାଜଭବନ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଅଗ୍ନିଶମ ପୁଲିସ୍ ଏପର୍ଯ୍ୟନ୍ତ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିପାରୁ ନଥିବା ଲକ୍ଷ୍ୟ କରାଯାଉଛି । ଯାହାକିଛି ପୁଲିସ୍ କମିଶନର ଆଗକୁ ଆସି କହୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଭୟଙ୍କର ଦୁର୍ଘଟଣାରେ କେତେ ଲୋକଙ୍କର ମୃତ୍ୟୁ ଘଟିଛି, କେତେ ଲୋକ ଆହତ ହୋଇଛନ୍ତି, କେତେ ଲୋକଙ୍କ ଗାଡି ମୋଟର କ୍ଷତିଗ୍ରସ୍ତ ହୋଇଛି ତାହାର ସଠିକ ହିସାବ କେହି ଦେଇପାରୁ ନାହାନ୍ତି ।
ଗୋଟିଏ ପଟେ ପୁଲିସ୍ ତାହାର ତଦନ୍ତ ଚଳାଇଥିବା କଥା ପୁଲିସ୍ କମିଶନର କହୁଥିବାବେଳେ ଅନ୍ୟ ପଟେ ତୈଳ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ତାଙ୍କର ବିଶେଷଜ୍ଞ ଟିମ୍ ପଠାଇ ତଦନ୍ତ କରୁଛନ୍ତି । ତେବେ ରାଜ୍ୟ ଅଗ୍ନିଶମ ବାହିନୀର ଭୂମିକା ଏ ଦିଗରେ କ’ଣ ରହିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଗ୍ନିଶମ ଅଧିକାରୀମାନେ ପେଟ୍ରୋଲ ପମ୍ପ ମାଲିକ, କର୍ମଚାରୀଙ୍କୁ ବର୍ତ୍ତମାନ ସୁଦ୍ଧା ଜେରା କରୁନାହାନ୍ତି କି ତେଲ ଟାଙ୍କିରେ ଅଗ୍ନିଶମ ସୁରକ୍ଷା ପାଇଁ କି କି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ତାହାର କୌଣସି ସୂଚନା ଗଣମାଧ୍ୟମକୁ ଜଣାଉ ନାହାନ୍ତି । ଫଳରେ ସାଧାରଣ ଲୋକଙ୍କର ଏବେ କାର୍ଯ୍ୟାନୁଷ୍ଠାନ ନେଇ ସନ୍ଦେହ ବଢିବାରେ ଲାଗିଛି ।
ଏହି ବିସ୍ଫୋରଣରେ ରାଜଭବନ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କ ଘର ଓ ସମ୍ପତ୍ତି କ୍ଷତ୍ରିଗସ୍ତ ହୋଇଛି । ଅବସ୍ଥା ଏଭଳି ହୋଇଛି ଯେ ରାଜଭବନ ନିକଟରେ ଏହି ତେଲ ଟାଙ୍କି ନରଖିବାକୁ ସୋସିଆଲ ମିଡିଆରେ ମତପ୍ରକାଶ ପାଇଲାଣି । ତେଣୁ ଏଭଳି ସ୍ଥିତିରେ ସମ୍ପୃକ୍ତ ତେଲ ଟାଙ୍କିର ପରିଚାଳନା ଭାର କାହା ହାତରେ ରହିଥିଲା ଓ ଏଠାରେ ଅଗ୍ନି ସୁରକ୍ଷା ପାଇଁ କ’ଣ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା ରାଜ୍ୟ ଅଗ୍ନିଶମ ବାହିନି ତାହାର ତଦନ୍ତ କରି ଲୋକଙ୍କୁ ଜଣାଇବା ଦରକାର । ଅନ୍ୟ ପକ୍ଷରେ ଜଣେ ଡାକ୍ତରଖାନାରେ ମୃତ୍ୟୁବରଣ କରିବା ଓ ଆଉ ତୁଇ ତିନିଜଣଙ୍କର ଖଣ୍ଡ ବିଖଣ୍ଡିତ ଶବ ଆଖପାଖରୁ ସଂଗ୍ରହ କରାଯିିବା ପରେ ମଧ୍ୟ ଏଭଳି ମୃତ୍ୟୁ ପାଇଁ କାହାକୁ ଦାୟୀ କରାନଯିବା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଏହି ମୃତ୍ୟୁ ପାଇଁ କିଏ ଦାୟୀ ହେବ ଓ କାହାକୁ କମିଶନରେଟ ପୁଲିସ୍ ଏଭଳି ବେପରୁଆ କାମ ପାଇଁ ଜେଲ୍ରେ ଠୁଙ୍କିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।
