Odia News Portal

ପୁଲିସ୍‍ କମିଶନର କାଗଜ ବାଘ 

ଭୁବନେଶ୍ୱର ()  କଟକ-ଭୁବନେଶ୍ୱର ପୁଲିସ୍‍ କମିଶନର ଏବେ କାଗଜ ବାଘ । ଯାହା ଦେଖାଯାଉଛନ୍ତି ବା କହୁଛନ୍ତି ସିଏ ତାହା ନୁହନ୍ତି । ରୋଷେଇ ପାଇଁ ଯେଭଳି ଉପଦେଶ ଦେଉଛନ୍ତି ତାହା ତାଙ୍କ ପାଇଁ ଠିକ୍‍ ବୋଲି ଏବେ ରାଜଧାନୀରେ ଚର୍ଚ୍ଚା । ଗତକାଲି ପୁଲିସ୍‍ ସାମ୍ନାରେ ଜଣେ ଯୁବକ ସାମାନ୍ୟ ଘଟଣାରେ ମାଡଘାଇ ଆଖି ନାକ ଫଟାଇ ଘାଇଲା ହେବା ଓ ଗିରଫ ହେବାର କେଇଘଣ୍ଟା ପରେ ରାତି ଅଧରେ ଜାମିନ ପାଇଯିବା ଏବେ ସାରା ସହରରେ ପୁଲିସ୍‍ କମିଶନରଙ୍କୁ ନେଇ ଏଭଳି ଚର୍ଚ୍ଚା ଚାଲିଛି । ପୁଣିଥରେ ରାଜଧାନୀ ପୁଲିସ୍‍ର ୫-ଟି ଓ ମୋ ସରକାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଲାଣି ।
ଅବସ୍ଥା ଏଭଳି ହେଲାଣି ଯେ ଲୋକେ ପୁଲିସ୍‍ ବିଭାଗ ଏଠି ମୁଖ୍ୟମନ୍ତ୍ରୀଙ୍କ ନାକ କାଟି ଦେଲାଣି ବୋଲି କହିବାକୁ ପଛାଉ ନାହାନ୍ତି । ସାଧାରଣରେ ହେଉଥିବା ଆଲୋଚନା ଅନୁଯାୟୀ ସତ୍ୟଜିତ୍‍ ମହାନ୍ତିଙ୍କୁ ହଟାଇ ସୁଧାଂଶୁ ଷଡଙ୍ଗୀଙ୍କୁ ସରକାର ପୁଲିସ୍‍ କମିଶନର କରିବା ସମୟରେ ସିଏ କିଛି ଗୋଟେ କରିବେ ବୋଲି ସାଧାରଣରେ ବିଶ୍ୱାସ ହୋଇଥିଲା । ଦୀର୍ଘ ଅଭିଜ୍ଞତା ସାଙ୍ଗଙ୍କୁ ବାବୁଙ୍କର ସାହିତ୍ୟଜ୍ଞାନ ଥିବାରୁ ସାଧାରଣରେ ଆଦୃତ ଲାଭ କରିବେ ବୋଲି ସମସ୍ତେ ଭାବିଥିଲେ । ହେଲେ ବାବୁ ସିନା ସାହିତ୍ୟଜ୍ଞାନକୁ ଉପଯୋଗ କରି ଲୋକଙ୍କୁ ରୋଷେଇ ବାସର ଉପଦେଶ ଦେଲେ କିନ୍ତୁ ପୁଲିସିଆ ଗୁଣ ସବୁ ଭୁଲିଗଲେ । ବାବୁ ଏବେ କାଗଜ ବାଘ ବୋଲି ଲୋକେ ବୁଝିଲେଣି । ମୁଖିଆ ଢିଲା ମାରିଲେ ଅବସ୍ଥା ଯାହା ହେବାକଥା ତାହା ପ୍ରତିଦିନ ଏବେ ଖୋଦ୍‍ ରାଜଧାନୀରେ ଘଟୁଛି ।
ରାଜଧାନୀବାସୀଙ୍କୁ ପିସିଆର ସୁରକ୍ଷା ଦେଉଥିବା ନେଇ ଲୋକଙ୍କ ମନରେ ଯେଉଁ ବଳ ଥିଲା ତାହା ଗତକାଲିର ଘଟଣା ପରଠାରୁ ଉଭେଇ ଯାଇଛି । ତେଣୁ ଲୋକେ ଆଉ ବିପଦରେ ପଡିଲେ ୧୦୦ ନମ୍ବରକୁ ଫୋନ କରିବେ କି ନାହିଁ ଶହେଥର ଚିନ୍ତା କରିବେ । କାରଣ ଯେଉଁଠି ପୁଲିସ୍‍ ଅଣ୍ଟାରେ ବନ୍ଧୁକ ଓ ଆଉ ହାତରେ ବାଡିକୁ ଅପରାଧିମାନେ ଖାତିର କରୁନାହାନ୍ତି ସେଠାରେ ଲୋକେ କାହିଁକି ସେମାନଙ୍କୁ ଡାକିବେ ବୋଲି କହିଲେଣି । ସବୁଠାରୁ ବଡ କଥା ହେଲା ପୁଲିସ୍‍ କମିଶନର ମହାଶୟ ଅତି ଉସôାହିତ ହୋଇ ନିକଟରେ ଯେଉଁ କେତେକ ଝିଅଙ୍କୁ ଏସ୍‍ପିଓ ନିଯୁକ୍ତି ଦେଇଛନ୍ତି ସେମାନଙ୍କୁ କିଏ ସୁରକ୍ଷା ଦେବ ତାହା ଏବେ ବଡ ପ୍ରଶ୍ନ ହେଲାଣି । ଯେଉଁଠି ଅପରାଧିମାନେ ଖାକିଙ୍କୁ ମାନୁନାହାନ୍ତି ସେଠାରେ ଏହି ବିନା ଖାକିମାନେ କ’ଣ କରିବେ । ଏହି ଝିଅମାନଙ୍କୁ ପଦାକୁ ଛାଡିବାପାଇଁ ସେମାନଙ୍କ ବାପ ମା’ମାନେ ଏବେ ଚିନ୍ତା ଆରମ୍ଭ କଲେଣି ।
ସେହିଭଳି ଟିଣ୍ଡର ଆପ୍‍ ମାମଲାରେ ମଧ୍ୟ ରାଜଧାନୀବାସୀ ପୁଲିସ୍‍ ଭୂମିକାକୁ ଛି ଛାକର କରୁଛନ୍ତି । ଯେଉଁ ଅପରାଧରେ ତିନିଜଣ ବନ୍ଧାହୋଇ ଜେଲ୍‍ ଗଲେ ସେହି ଅପରାଧର ବ୍ଲୁ ପ୍ରିଣ୍ଟ ରଚିଥିବା ମହିଳା ଅଧ୍ୟାପିକା କିଭଳି ପୁଲିସ୍‍ ଥାନାରୁ ଜାମିନ ପାଇଗଲେ ତାହା ହଜାରେ ପ୍ରଶ୍ନ ସୃଷ୍ଟି କରିଛି । ସହମତି ଭିତିରେ ଶାରୀରିକ ସମ୍ପର୍କ ରଖିଥିବା ଖୋଦ୍‍ ଅଧ୍ୟାପିକାଜଣଙ୍କ କହିଥିବାବେଳେ ପୁଲିସ୍‍ କେମିତି ଧର୍ଷଣ ପ୍ରମାଣ ପାଇଲା ତାହା ବି ପ୍ରଶ୍ନବାଚୀ । ଏ ଘଟଣାରେ ପୁଲିସ୍‍ ସାଧାରଣଲୋକଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେଉଥିବାବେଳେ କମିଶନର କିନ୍ତୁ ମୁହଁ ଖୋଲୁ ନାହାନ୍ତି ।
ରାଜଧାନୀ ପୁଲିସ୍‍ ଟ୍ରାଫିକ ଫାଇନ୍‍ ଆଦାୟରେ ଯେଭଳି ବଳ ଖଟାଉଛି ସେଥିରୁ କାଣିଚାଏ ଯଦି ଆଇନ୍‍ଶୃଙ୍ଖଳା ରକ୍ଷାରେ ଦେଖାନ୍ତା ତେବେ ପୁଲିସ୍‍ ସମ୍ମୁଖରେ ଲୋକେ ନିର୍ଘାତ ମାଡ ଖାଆନ୍ତେ ନାହିଁ । ଏବେ ଏହି ମାମଲାରୁ ବର୍ତ୍ତିବାପାଇଁ ଜଣେ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ଉପର ବାବୁମାନେ ଯେଭଳି ଖସିବା ଆରମ୍ଭ କରିଛନ୍ତି ତାହାକୁ କିନ୍ତୁ ଲୋକେ ଗ୍ରହଣ କରିପାରୁନାହାନ୍ତି । ଏଭଳି ଜଘନ୍ୟ ଘଟଣାର ନୈତିକ ଦାୟିତ୍ୱ ଖୋଦ୍‍ ପୁଲିସ୍‍ କମିଶନର ମୁଣ୍ଡାଇବାକୁ ଦାବି ଉଠିଲାଣି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି । ସରକାର ଥାନାରେ ୫-ଟି ଲାଗୁ କରିଥିବାବେଳେ ଅପରାଧିମାନେ କିଭଳି ସହଜରେ ଜାମିନ ପାଇଯାଉଛନ୍ତି ସେଥନେଇ ସେ ଭୀଷଣ ବିରକ୍ତ ବି ହୋଇଛନ୍ତି । ପୂର୍ବରୁ ପୁରୀର ମଙ୍ଗୁ ମଠ ଭଙ୍ଗାକୁ ନେଇ କୌଣସି ପ୍ରକ୍ରାରେ ଶିଖ୍‍ ସମ୍ପ୍ରଦାୟର କ୍ରୋଧକୁ ଶାନ୍ତ କରାଯାଇଥିବାବେଳେ ଏବେ ରାଜଧାନୀରେ ପଞ୍ଜାବୀ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଏଭଳି ଆକ୍ରମଣ ଅପୀତିକର ପରିସ୍ଥିତି ସୃଷ୍ଟି କରିଛି । ପଞ୍ଜାବ ସହିତ ମୁଖ୍ୟମନ୍ତ୍ରୀଙ୍କର ଉତ୍ତମ ସମ୍ପର୍କ ଥିବାବେଳେ ପଞ୍ଜାବୀମାନେ ଅସନ୍ତୁଷ୍ଟ ହେବାକୁ ମୁଖ୍ୟମନ୍ତ୍ରୀ ସହଜରେ ଗ୍ରହଣ କରିପାରୁନଥିବାବେଳେ ପୁଲିସ୍‍ କମିଶନରଙ୍କ ବେପରୁଆ କାର୍ଯ୍ୟକଳାପ  ତାଙ୍କୁ ବିରକ୍ତିଭାବ ବଢାଇବାରେ ଲାଗିଛି ।