ପୁରୀ: ଇଂରାଜି ନବବର୍ଷ ଅବସରରେ ମଙ୍ଗଳବାର ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୂଳମ୍ ପରିସରରେ ଶ୍ରୀଜଗନ୍ନାଥ ତଥ୍ୟ ଧାରିକା ଗ୍ରନ୍ଥ ଲୋକାର୍ପିତ ହୋଇଛି। କ୍ରିୟାଯୋଗ ଆଶ୍ରମ ମୁଖ୍ୟ ସ୍ବାମୀ ପ୍ରଜ୍ଞାନାନନ୍ଦ ଏହାକୁ ଲୋକାର୍ପିତ କରିଛନ୍ତି। ଗ୍ରନ୍ଥର ଲେଖକ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ଭଗବତ ଆଶ୍ରମର ବାବାଜୀ ବ୍ରଜବାବା ଓ ବହୁ ସାଧୁ ଉତ୍ସବରେ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଓ ଉନ୍ମୋଚିତ ଏହି ଗ୍ରନ୍ଥରେ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା, ଅହମିଆ ଓ ଇଂଲିଶ ଭାଷାରେ ମହାପ୍ରଭୁଙ୍କ ସମ୍ବନ୍ଧରେ ଲିଖିତ ୩୨୦୩ ପୁସ୍ତକ ଓ ପତ୍ରପତ୍ରିକାର ସବିଶେଷ ସୂଚନା ଏଥିରେ ରହିଛି। କେବଳ ସଂସ୍କୃତ ଭାଷାରେ ୪୯୪ ଖଣ୍ଡ ଗ୍ରନ୍ଥ ଓ ପୁସ୍ତକରେ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ବର୍ଣ୍ଣନା ରହିଥିବା ବେଳେ ଓଡ଼ିଆରେ ୨୦୯୫, ବଙ୍ଗଳାରେ ୮୩, ଅହମିଆରେ ୨୯, ହିନ୍ଦୀରେ ୫୪ ଓ ଇଂଲିଶରେ ୪୪୮ ଖଣ୍ଡ ଗନ୍ଥ ଓ ପୁସ୍ତକରେ ମହାପ୍ରଭୁଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁଙ୍କ ନବକଳେବର ଲୀଳା ଉପରେ ୬୬ ଖଣ୍ଡ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଉପରେ ୭୮ ଖଣ୍ଡ ପୁସ୍ତକ ରହିଥିବା ଲେଖକ ଡ. ମିଶ୍ର ଉଲ୍ଲେଖ କରିଛନ୍ତି। ତୀର୍ଥକ୍ଷେତ୍ର, ପୀଠ ଓ ମଠ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ୬୧ ଖଣ୍ଡ ଉପଲବ୍ଧ ହେବା ସହିତ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଉପରେ ୧୮ ଖଣ୍ଡ ପୁସ୍ତକ ରଚିତ ହୋଇସାରିଥିବା ତଥ୍ୟ ଗବେଷଣା