Odia News Portal

ନବୀନ ପଟ୍ଟନାୟକ ମହିଳାଙ୍କ ନିମନ୍ତେ ପୁଣି ଏକ ନୂଆ ଯୋଜନା !

ମହିଳାବିରୋଧୀ ବୟାନ ଦେଇଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିକୁ ବିଜେପି ଓ କଂଗ୍ରେସର ବ୍ୟାପକ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ନିମନ୍ତେ ପୁଣି ଏକ ନୂଆ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। ୫ତାରିଖରେ ପୁରୀରେ ପ୍ରସ୍ତାବିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନା ଘୋଷଣା କରିବେ ବୋଲି ଜଣାପଡ଼ିଛି। ଯାହା ବିରୋଧୀଙ୍କୁ ମାତ୍ ଦେବା ସହ ବିଜେଡି ପାଇଁ ଗେମଚେଞ୍ଜର ହେବ ବୋଲି ଦଳ ଆଶା ବାନ୍ଧିଛି।

ସୂଚନା ଅନୁସାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମହିଳାବିରୋଧୀ ବୟାନ ଓ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ବିଜେପି ଓ କଂଗ୍ରେସ ଏବେ ନିଜର ପ୍ରତିବାଦକୁ ବ୍ୟାପକ ରୂପ ଦେବାରେ ଲାଗିଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ନିର୍ଯାତନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଓ ମନ୍ତ୍ରୀ ମହାରଥୀଙ୍କ ବହିଷ୍କାର ଦାବି ଜିଦରେ ବିଜେପି ଅଟଳ ଥିବାବେଳେ ଇତିମଧ୍ୟରେ ଦୁଇଥର ନବୀନ ନିବାସ ଘେରାଉ କରିସାରିଲାଣି। ରାଜ୍ୟବ୍ୟାପୀ ନାଲି ଚୁଡ଼ି ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ଆଳରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ସମଗ୍ର ରାଜ୍ୟରେ ସରକାରଙ୍କ ବିରୋଧରେ ସ୍ୱରକୁ ଶାଣିତ କରିବା ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଛି। ଏହାସହିତ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ସମଗ୍ର ଦେଶରେ ୩ନମ୍ବରରେ ଓ ଏସଏଚଜି ଗ୍ରୁପର ଆର୍ଥିକ ବିକାଶ ହେଉନଥିବା ଦର୍ଶାଇ ରାଜ୍ୟ ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ୍ କରିଛି। ଏପଟେ କଂଗ୍ରେସ ମଧ୍ୟ ଆଜି ନବୀନ ନିବାସ ଘେରାଉ କରିବା ସହ ମନ୍ତ୍ରୀ ମହାରଥୀଙ୍କୁ ବହିଷ୍କାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧମକ ଦେଇଛି।

ନିର୍ବାଚନୀ ବର୍ଷରେ ବିରୋଧୀ ଦଳଙ୍କ ଚାପରେ ମନ୍ତ୍ରିମଣ୍ଡଳରୁ ମହାରଥୀଙ୍କୁ ବହିଷ୍କାର କଲେ ତା’ର ପ୍ରଭାବ ଦଳୀୟ କର୍ମୀଙ୍କ ଉପରେ ପଡ଼ିବା ଆଶଙ୍କା କରି ନବୀନ ଏବେ ନିଜର ପୁରୁଣା ଚାଲ୍ ଖେଳିଛନ୍ତି। ଚାଷୀଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ‘କାଳିଆ’ ଯୋଜନା ଘୋଷଣା କରିବା ଭଳି ମହିଳାଙ୍କ ମଧ୍ୟରେ ନିଜ ସରକାରର ଭାବମୂର୍ତ୍ତି ବୃଦ୍ଧି ନିମନ୍ତେ ପୁରୀ ଏସଏଚଜି ସମାବେଶରେ ଏକ ନୂଆ କାର୍ଯ୍ୟକ୍ରମ ଘୋଷଣା କରିବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରତ୍ୟେକ ମହିଳା ଏସଏଚଜିକୁ ୧୫ହଜାର ଟଙ୍କା ଓ ମୋବାଇଲ ଫୋନ୍ ପାଇଁ ୩ହଜାର ଟଙ୍କା, ବ୍ଲକସ୍ତରରେ ମହିଳା ମହାସଂଘକୁ ୨୫ଲକ୍ଷ ଟଙ୍କାର ପୁରୁଣା ଘୋଷଣା ସହ ଆଉ କିଛି ନୂଆ ଘୋଷଣା କରିବାକୁ ଯାଉଛନ୍ତି। ଯାହାକି ଦଳ ପାଇଁ ନିର୍ବାଚନରେ ଗେମଚେଞ୍ଜର ହେବ ବୋଲି ବିଜେଡି ନେତାମାନେ ଦମ୍ଭୋକ୍ତି ବାଢ଼ିଛନ୍ତି। ତେବେଏହି କାର୍ଯ୍ୟକ୍ରମ କ’ଣ, ତାହା କେହି କହୁନଥିଲେ ମଧ୍ୟ ମହିଳାଙ୍କୁ ‘ସ୍ୱାବଲମ୍ବୀ’ କରିବା ପାଇଁ ରାଜକୋଷକୁ ହୁଗୁଳା କରିଦେଇ କିଛି ଆର୍ଥିକ ପ୍ୟାକେଜ୍ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।

ପୁରୀରେ ଏହି ମହିଳା ଏସଏଚଜି ସମାବେଶକୁ ସଫଳ କରିବା ପାଇଁ ବିଜେଡି ଜିଲ୍ଲାରେ ଥିବା ନିଜର ବିଧାୟକମାନଙ୍କୁ କାର୍ଯ୍ୟରେ ଲଗାଇଛି। ଜିଲ୍ଲାର ୨ଜଣ କ୍ୟାବିନେଟ୍ ମନ୍ତ୍ରୀ, ହେଭିୱେଟ୍ ବିଧାୟକ ସଞ୍ଜୟ ଦାସବର୍ମା ତଥା ସମୀର ଦାଶଙ୍କ ସମେତ ଉମାକାନ୍ତ ସାମନ୍ତରାୟ ଓ ସୁରେନ୍ଦ୍ର ସେଠୀ ପୁରା ଦମରେ ଲାଗିପଡ଼ିଛନ୍ତି। ଏହି ସମାବେଶରେ ଅତିକମରେ ୫୦ରୁ ୬୦ହଜାର ମହିଳାଙ୍କୁ ଏକଜୁଟ କରି ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶକୁ କାଉଣ୍ଟର କରିବାକୁ ନବୀନ ଲକ୍ଷ୍ୟ ରଖିଛନ୍ତି।

ନିର୍ବାଚନୀ ବର୍ଷରେ ‘କାଳିଆ’ ଯୋଜନା ଘୋଷଣା ସତ୍ତ୍ୱେ ଏହା ଚାଷୀ ସଂଗଠନଗୁଡ଼ିକୁ ସନ୍ତୁଷ୍ଟ କରିପାରିନଥିବାବେଳେ ମହିଳାଙ୍କ ପାଇଁ ନବୀନଙ୍କ ସମ୍ଭାବ୍ୟ ଘୋଷଣା କେତେ ଫଳପ୍ରଦ ହେଉଛି ତାହା ଉପରେ ସମସ୍ତଙ୍କ ନଜର।