Odia News Portal

ନୂଆ ଆମିକସ୍‌କ୍ୟୁରୀଙ୍କ ନିଯୁକ୍ତିକୁ ଭକ୍ତ ଓ ସେବାୟତ ମହଲରେ ସ୍ୱାଗତ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? ତା’ର କାରଣ ଖୋଜିବାକୁ ସର୍ବୋଚ୍ଚ କୋର୍ଟ ନିଯୁକ୍ତ କରିଛନ୍ତି ନୂଆ ଆାମିକସ୍‌ କ୍ୟୁରୀ। ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ  ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏପରି ସ୍ଥିତିରେ ଶ୍ରୀମନ୍ଦିର ଆଇନ୍ ଓ ଜଗନ୍ନାଥଙ୍କ ସେବାପୂଜା ସମ୍ପର୍କରେ ପୂର୍ଣ୍ଣ ଅବଗତ ହେବା ପରେ ଯାଇ ସେ କୌଣସି ପ୍ରସ୍ତାବ ବା ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ସେବାୟତ। ପୂର୍ବରୁ ଶ୍ରୀମନ୍ଦିର ଆମିକସ୍‌କ୍ୟୁରୀ ଥିବା ଗୋପାଳ ସୁବ୍ରମଣ୍ୟମ୍ ହଠାତ୍ ଅବ୍ୟାହତି ନେବା ପରେ ଏ ପଦ ଖାଲି ପଡିଥିଲା। ଏବେ ହୋଇଥିବା ନୂଆ ଆମିକସ୍‌ କ୍ୟୁରୀଙ୍କୁ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ କୌଣସି ପ୍ରସ୍ତାବ ଗ୍ରହଣ କରିବା ବେଳେ ସହଯୋଗ କରିବେ ସୁପ୍ରିମକୋର୍ଟର ବରିଷ୍ଠ ମହିଳା ଓକିଲ ପ୍ରିୟା ହିଙ୍ଗୁରାନି। ଆଜି ଶ୍ରୀମନ୍ଦିର ସଂସ୍କାର ମାମଲା ସଂପର୍କିତ ଶୁଣାଣିବେଳେ ସର୍ବୋଚ୍ଚ କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ଘୋଷଣା କରିଥିବା ଶ୍ରୀମନ୍ଦିର ପ୍ରଶାସନର ଓକିଲ ଶ୍ୱେତକେତୁ ମିଶ୍ର ସୂଚନା ଦେଇଛନ୍ତି।