Odia News Portal

କୋଣାର୍କରେ ଟେଣ୍ଟ ସିଟି ନିର୍ମାଣ କରାଯିଵ : ମନ୍ତ୍ରୀ

ଭୁବନେଶ୍ବର : ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କୋଣାର୍କ, ରାମଚଣ୍ଡୀ ଏବଂ ଚନ୍ଦ୍ରଭାଗା ଅଞ୍ଚଳ ପରିଦର୍ଶନ କରି ଏହି ସବୁ ଅଞ୍ଚଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଉପରେ ପର୍ଯ୍ୟଟନ ସଚିବ ଶ୍ରୀ ବିଶାଲ କୁମାର ଦେବ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂହଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ରାମଚଣ୍ଡୀଠାରେ ସ୍ଥାନୀୟ ବୋଟିଂ ଆସୋସିଏସନ୍‌ର କର୍ମକର୍ତ୍ତା ଏବଂ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

ପିଇବା ପାଣି, ପରିମଳ, ଶୌଚାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସେଡ୍‌ ନିର୍ମାଣ ଆଦି ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବ୍ଲକ୍‌ ତରଫରୁ ଦୀର୍ଘ ୧୦ ବର୍ଷ ହେବ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ଚାଲୁ କରିବା ପାଇଁ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ପର୍ଯ୍ୟଟନ ଋତୁରେ କୋଣାର୍କରେ ଟେଣ୍ଟ ସିଟି ନିର୍ମାଣ କରାଯିବାର ଯୋଜନା ରହିଥିବାରୁ ବହୁ ପର୍ଯ୍ୟଟନ ରାମଚଣ୍ଡୀ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ତ୍ୱରିତ ବିକାଶ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ବେହେରା ପର୍ଯ୍ୟଟନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କହିଥିଲେ ।

ଅନ୍ୟପକ୍ଷରେ ଚନ୍ଦ୍ରଭାଗା ଅଞ୍ଚଳରେ ରାସ୍ତା ନିର୍ମାଣ, ପରିମଳ ବ୍ୟବସ୍ଥା ସହ କୋଣାର୍କରେ ଇଡ୍‌କୋ ପକ୍ଷରୁ ସୁନ୍ଦର ଭାବେ ନିର୍ମିତ ହୋଇଥିବା ଅର୍ବାନ ହାଟକୁ ଚାଲୁ କରିବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ପର୍ଯ୍ୟଟନ ସଚିବ ଶ୍ରୀ ଦେବ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ସିଂହଙ୍କ ସହ ଆଲୋଚନା କରିଥିଲେ । ପର୍ଯ୍ୟଟନ ସଚିବ ଶ୍ରୀ ଦେବ ମନ୍ତ୍ରୀଙ୍କୁ କୋଣାର୍କଠାରେ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ଥିବା ବିଭିନ୍ନ ପ୍ରସ୍ତାବ ଉପରେ ଅବଗତ କରାଇଥିଲେ ।

କୋଣାର୍କ, ରାମଚଣ୍ଡି ଓ ଚନ୍ଦ୍ରଭାଗା ଅଞ୍ଚଳରେ ପର୍ଯ୍ୟଟନ ଓ ସାମଗ୍ରିକ ବିକାଶ ଉପରେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପର୍ଯ୍ୟଟନ ସଚିବ ଏବଂ ପୁରୀ ଜିଲ୍ଲାପାଳ ପ୍ରକାଶ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ନେଇ ଲକ୍ଷ୍ୟ ରଖିଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖକୁ ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।

      ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )