Odia News Portal

ସିବିଆଇ ମାମଲାରେ ପଡିଥିବା ଆରଟିଓ ଛାନିଆ

ଭୁବନେଶ୍ୱର : ପରିବହନ ବ୍ୟବସ୍ଥାରୁ ଦୁର୍ନୀତିଗ୍ରସ୍ତଙ୍କୁ ହଟାଇବାପାଇଁ ସରକାର ଏବେ ୧୮ଜଣ ଆରଟିଓଙ୍କ ଖାତା ଖତିଆନା ଯାଞ୍ଚ କରୁଛନ୍ତି । ଏମାନେ ଅତୀତରେ କିଭଳି କାର୍ଯ୍ୟ କରିଛନ୍ତି ତାହାର ତନଖି ଚାଲିଛି । ତେବେ ଏହି ତାଲିକାରେ ଥିବା ଦ୍ୱୈତନଗରରୀର ଜଣେ ଆରଟିଓ ଛାନିଆ ହୋଇପଡିଛନ୍ତି । ଅତୀତର ଟ୍ରାକ ରେକର୍ଡ ପାଇଁ ସରକାର ତାଙ୍କୁ କି ପ୍ରକାର ଦଣ୍ଡ ଦେବେ ସେହି ଚିନ୍ତାରେ ଆଉ ଶୋଇପାରୁ ନାହାନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ହେଲା ଦ୍ୱୈତନଗରୀରେ ଆରଟିଓ ଦାୟିତ୍ୱରେ ଥିବା ଏହି ବାବୁଙ୍କ ନାଁରେ ସିବିଆଇ ମାମଲା ଥିଲା । କେବଳ ସିବିଆଇ ମାମଲା ନୁହେଁ ବାବୁଙ୍କ ନାଁରେ ଗୋଟିଏ ଅଦାଲତରୁ ବି ଗିରଫ ପରୱାନା ଜାରି ହୋଇଥିଲା । ତାହାକୁ କୌଣସି ପ୍ରକାରେ ଚାପି ରଖି ସିଏ ଆରଟିଓ ଭଳି ଦାୟିତ୍ୱ ସମ୍ଭାଳିବାରେ ଲାଗିଛନ୍ତି । ଖାଲି ଦାୟିତ୍ୱ ସମ୍ଭାଳୁ ନାହାନ୍ତି ଅନେକ ବଡ ବଡିଆଙ୍କର ବହୁ ଦାୟିତ୍ୱ ବି ତୁଲାଉଛନ୍ତି । ଯାହା ଫଳରେ ଦ୍ୱୈତନଗରରୀରୁ ତାଙ୍କୁ କୌଣସି ପ୍ରକାରେ ହଟାଯାଇ ପାରୁନାହିଁ ।

ନଥି ଖୋଳତାଡ ବେଳେ ଜଣାପଡିଛି ଯେ ଏହି ଆରଟିଓ ଜଣଙ୍କ ଦକ୍ଷିଣାଞ୍ଚର ଗୋଟିଏ ଜିଲ୍ଲାରେ ଥିବାବେଳେ କେଳେଙ୍କାରୀ କରିଥିଲେ । ଯେହେତୁଟି ମାମଲାଟି ଗୋଟିଏ ଜାତୀୟକରଣ ବ୍ୟାଙ୍କ୍‍ଋଣ ସହ ଜଡିତ ଥିଲା ତେଣୁ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଜାଲିଆତି ଧରିବାପାଇଁ ସିବିଆଇକୁ ମାମଲା ଦେଇଦେଲେ । ବାବୁ ଜଣଙ୍କ ବିନା କାଗଜପତ୍ରରେ ଯେଉଁ ଗାଡିକୁ ପରମିଟ୍‍ ଦେଇଥିଲେ ସେହି ଗାଡିଟିକୁ ସିବିଆଇ କେନ୍ଦୁଝରରୁ ଠାବ କରିଥିଲା । ଏହାପରେ ବାବୁ ଜଣଙ୍କ ଦକ୍ଷିଣରୁ ସିଧା ଉପକୂଳକୁ ଆସିଥିଲେ । ଉପକୂଳ ଜିଲ୍ଲାରେ ଥିବାବେଳେ ମାମଲା ଚାଲିଲା ।

ହେଲେ ବାବୁ ଜଣଙ୍କ ଅଦାଲତକୁ ଖାତିର ନକରିବାରୁ ତାଙ୍କ ନାମରେ ଗିରଫ ୱାରେଣ୍ଟ ଜାରିହେଲା । ସେତେବେଳେ କୌଣସି ପ୍ରକାରେ ଗିରଫରୁ ବଞ୍ଚିଯାଇଥିଲେ । ଏହାପରେ କ୍ଷମତାଅଳିନ୍ଦ ବାଟ ଦେଇ ଆସିଲେ ଦ୍ୱୈତନଗରୀ । ସେବେଠାରୁ ଆସ୍ଥାନ ଜମାଇଛନ୍ତି । ବାବୁଙ୍କ କାରନାମା ବିଷୟରେ ସମସ୍ତେ ଜାଣିଛନ୍ତି । ହେଲେ କେହି କହିବାକୁ ସାହସ କରିପାରୁ ନାହାନ୍ତି । ବାବୁ ଜଣଙ୍କର ଲୋକସେବା ଭବନର ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ଘନିଷ୍ଠତା ଥିବାରୁ ଏଭଳି ଗୁରୁତର ମାମଲା ସତ୍ୱେ ସିଏ ଦୀର୍ଘଦିନ ହେଲା ପରିବହନ ବିଭାଗରେ ଆସ୍ଥାନ ଜମାଇଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଆରଟିଓରୁ ଦଲାଲ ହଟାଇବାପାଇଁ ନିର୍ଦ୍ଦେଶ ଦେବାପରେ ପୁଲିସ୍‍ ବାବୁମାନେ ଦଲାଲମାନଙ୍କୁ ଗୋଡାଇ ଗୋଡାଇ ଧରୁଛନ୍ତି ।

ଦଲାଲ ଧରାପଡିବାପରେ ଏବେ ସରକାର ଆରଟିଓମାନଙ୍କ ପାଞ୍ଜି ଖେଳାଉଛନ୍ତି । ପାଞ୍ଜିରୁ ଏଭଳି ସୂଚନା ଆସିବାପରେ ଏବେ ଏହା ଲୋକସେବାଭବନରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଘଟଣାଟି ପ୍ରଘଟ ହେବାପରେ ବାବୁଙ୍କୁ ସୁରକ୍ଷା ଦେବାପାଇଁ କିଛି ଲାଗି ପଡିଲେଣି । ବାବୁ ଜଣଙ୍କ ଅତ୍ୟନ୍ତ ଯୋଗାଡିଆ ପ୍ରଜାତିର ହୋଇଥିବାରୁ ଏଥର ବି ରକ୍ଷା ପାଇଯିବେ ବୋଲି ପରିବହନ ବିଭାଗର କିଛି କର୍ମଚାରୀ କହୁଛନ୍ତି । କିନ୍ତୁ ବାବୁ ଜଣଙ୍କ ଏଥର ନିଶ୍ଚିତ ଭାବେ ୫-ଟି ଜାଲରେ ପଡିବେ ବୋଲି ଆଲୋଚନା ହେଉଛି ।

     ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )