Odia News Portal

ସ୍ମାର୍ଟ ସିଟି ପାଇଁ ସ୍ମାର୍ଟ ଆପ

ଭୁବନେଶ୍ବର () ସହରର ବାସିନ୍ଦା କିମ୍ବା ପର୍ଯ୍ୟଟକ ଭାବେ ଆପଣ ନିକଟତମ ପାର୍କ କିମ୍ବା କୌଣସି ସାଧାରଣ ଖୋଲାସ୍ଥାନକୁ ବୁଲିବାକୁ ଇଚ୍ଛା କରୁଛନ୍ତି କି  । ଯଦି ହଁ, ତେବେ ଆପଣଙ୍କ ମୋବାଇଲରେ ଜାଣିପାରିବେ ପାର୍କ ଆଦି ସ୍ଥାନର ମାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ । ଏହି ଆପ ଅଥବା ଡିଜିଟାଲ ପ୍ଲାଟଫର୍ମର ପ୍ରଥମ ପରୀକ୍ଷାମୂଳକ ପ୍ରଚଳନ ମନ୍ଦିର ମାଳିନୀ ଭୁବନେଶ୍ବରରେ ହେବାକୁ ଯାଉଛି ।

ପ୍ରସ୍ତୁତି ପଥରେ ଥିବା ଆପ ଜଣେ ଅତିଥି ବା ସହରର ନାଗରୀକଙ୍କୁ ପାର୍କର ଅବସ୍ଥିତି ବିଷୟରେ ସୂଚିତ କରିବା ସଙ୍ଗେ ସଙ୍ଗେ ସେହି ସବୁଜ ବଳୟ ଅଥବା ଖୋଲାସ୍ଥାନରେ ଥିବା ମୌଳିକ ସୁବିଧା ସୁଯୋଗ ବିଷୟରେ ଧାରଣା ପ୍ରଦାନ କରିବାର ବ୍ୟବସ୍ଥା ରହିବ । ଏହି ଅଭିନବ କଳ୍ପନାକୁ ରୂପାୟିତ କରିବା ପାଇଁ କାର୍ଯ୍ୟରତ ଅଛନ୍ତି ସ୍ମାର୍ଟ ସିଟି ଫେଲୋମାନେ । ଭୁବନେଶ୍ବରରେ ରହଣୀ ସମୟରେ ଏହି ଟିମ ଆମ ସହରର ମୁଖ୍ୟ ପାର୍କ, ଖୋଲାସ୍ଥାନ ଆଦିକୁ ଯାଇ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ । ଏହି ପ୍ରଥମ ପରୀକ୍ଷାମୂଳକ ପଦକ୍ଷେପ ସ୍ମାର୍ଟ ସିଟି ମିଶନ ତରଫରୁ ଏହି ସ୍ମାର୍ଟ ଫେଲୋମାନଙ୍କ ଦ୍ବାରା ବାସ୍ତବ ରୂପ ନେବାକୁ ଯାଉଛି । ସ୍ମାର୍ଟ ସିଟି ନିର୍ଦ୍ଦେଶକ ତଥା ସିଇଓ ପ୍ରେମଚାନ୍ଦ ଚୌଧୁରୀଙ୍କ ତତ୍ବାବଧାନ ଓ ମାର୍ଗଦର୍ଶନରେ ଏହି ଆପ ପ୍ରସ୍ତୁତ ହେଉଛି ।

ଏହି ପ୍ରସ୍ତାବିତ ଆପ ଜଣେ ବ୍ୟବହାରକାରୀଙ୍କୁ ପାର୍କ, ବଜାର, ଐତିହ୍ୟ କ୍ଷେତ୍ର ଏବଂ ପାଖରେ ଥିବା ଜଳାଶ୍ରୟ, ଜଳଧାରା, ପରିବହନ ପାଇଁ ବ୍ୟବହୃତ ସ୍ଥାନ ଏବଂ ରାସ୍ତାମାନଙ୍କ ସମ୍ପର୍କିତ ତଥ୍ୟ ଦେବା ସହ ବ୍ୟବହାରକାରୀ ନିଜ ଆଡୁ ସେହିସବୁ ସ୍ଥାନ ସଂପର୍କରେ ମତାମତ ଦେଇପାରିବାର ବ୍ୟବସ୍ଥା ରହିବ । ଆପ ବ୍ୟବହାରକାରୀ ଏଥିରୁ କୌଣସି ପାର୍କ ଅଥବା ଖୋଲାସ୍ଥାନରେ ମିଳୁଥିବା ସୁଖ ସ୍ବାଚ୍ଛନ୍ଦ୍ୟ, ସେଠାକୁ ପହଁଚିବାକୁ ରାସ୍ତା, ନିରାପ୍ତା, ସମସ୍ତ ବର୍ଗମାନଙ୍କ ପାଇଁ ସୁବିଧା, ଦୀର୍ଘସ୍ଥାୟୀତ୍ବ, ପରିବେଶ, ସଂସ୍କୃତି ଏବଂ ବିଶେଷତ୍ବ ଆଦିର ତଥ୍ୟ ପାଇପାରିବେ । ଏ ସଂପର୍କରେ ବ୍ୟବହାରକାରୀ ମଧ୍ୟ ସେମାନଙ୍କ ମତାମତ ଦେଇପାରିବେ ।

ଏହାଦ୍ବାରା ପାର୍କ ଓ ଖୋଲାସ୍ଥାନର ଏଭଳି ରେଟିଂ ଦ୍ବାରା ସମସ୍ତ ସ୍ମାର୍ଟ ସିଟି ମିଶନ ଅଧିନସ୍ଥ ସହର ମାନ ଏକ ଜାତୀୟ ମାନ ନିର୍ଦ୍ଧାରଣ ପଦକ୍ଷେପ ନେବା ପାଇଁ ବାଟ ଫିଟାଇବ । ଥରେ ଏହି ଆପ କାର୍ଯ୍ୟକ୍ଷମ ହେଲେ କୌଣସି ସହର, ସ୍ବାୟତ୍ତ ଶାଶିତ ସଂସ୍ଥା, ସ୍ମାର୍ଟ ସିଟି ଆଦିର ଖୋଲା ସ୍ଥାନରେ ଏକ ମାନକ ସାରା ଭାରତ ବର୍ଷରେ ତିଆରି କରାଯାଇପାରିବ ।