ଭୁବନେଶ୍ୱର (): ଚଳିତ ବର୍ଷ ପ୍ରଥମ ଥର ପାଇଁ ଖରିଫ୍ ଋତୁରେ ଚାଷୀ ଉତ୍ପାଦନ କରୁଥିବା ତୈଳବୀଜ ଓ ଡାଲି ଜାତୀୟ ଶସ୍ୟକୁ ସରକାର ସହାୟକ ମୂଲ୍ୟ ଦେଇ କ୍ରୟ କରିବେ । ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହାୟକ ମୂଲ୍ୟ ଯୋଜନାର ରାଜ୍ୟସ୍ତରୀୟ ମନିଟରିଂ କମିଟି ବୈଠକରେ କ୍ରୟ ପ୍ରକ୍ରିୟା ବିଷୟରେ ନିଷ୍ପତିମାନ ନିଆଯାଇଛି । ସମୁଦାୟ ପ୍ରକ୍ରିୟାକୁ ଚାଷୀମାନଙ୍କ ପାଇଁ ସରଳ ଓ ସୁଗମ କରିବା ସହ ଅଧିକରୁ ଅଧିକ ସଂଖ୍ୟକ ଚାଷୀଙ୍କୁ ସିଧାସଳଖ ଏଥିରେ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କୃଷି ଓ କୃଷକ ସଶକ୍ତି କରଣ ଏବଂ ସମବାୟ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଥମ ଥର ପାଇଁ ଏହି କିଣା ଯାଉଥିବାରୁ ଏ ବାବଦରେ ଗ୍ରାମାଂଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସଂପୃକ୍ତ ଦୁଇ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସଚିବାଳୟଠାରେ ଆୟୋଜିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ତୈଳବୀଜ ଓ ଡାଲି ଫସଲ କିଣିବା ପ୍ରକ୍ରିୟା ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଓ ସାଙ୍ଗଠନିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଏସବୁ ଫସଲର ବଜାର ଦର ଉତ୍ପାଦନ ସମୟରେ କମ୍ ରହୁଥିବାରୁ ଚାଷୀଙ୍କୁ ସହାୟକ ମୂଲ୍ୟ ଦେଇ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ କ୍ରୟ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।
କୃଷି ନିର୍ଦ୍ଦେଶକ ମୁଥୁ କୁମାର ଜଣାଇଥିଲେ ଯେ ଚଳିତ ବର୍ଷ ସରକାର ବର୍ଦ୍ଧିତ ଦରରେ ·ଷୀଙ୍କଠାରୁ ଡାଲି ଓ ତେଳବୀଜ କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ମୁଗ କ୍ୱିଂଟାଲ ପିଛା ୬,୯୭୫ ଟଙ୍କା, ବିରି କ୍ୱିଂଟାଲ ପିଛା ୫,୬୦୦ ଟଙ୍କା, ହରଡ କ୍ୱିଂଟାଲ ପିଛା ୫,୬୭୫ ଟଙ୍କା ଏବଂ ଚିନା ବାଦାମ କ୍ୱିଂଟାଲ ପିଛା ୪,୮୯୦ ଟଙ୍କାରେ କ୍ରୟ କରାଯିବ । ସୂଚନା ଯୋଗ୍ୟ, ଗତ ୨୦୧୬-୧୭ ବର୍ଷରୁ ରାଜ୍ୟରେ ରବି ଋତୁରେ ଡାଲି ଓ ତୈଳବୀଜ କ୍ରୟ ସରକାର ଆରମ୍ଭ କରିଥିଲେ । ଗତ ବର୍ଷ ମୁଗ କ୍ୱିଂଟାଲ ପିଛା ୫,୫୭୫ ଟଙ୍କା, ବିରି କ୍ୱିଂଟାଲ ପିଛା ୫,୪୦୦ ଟଙ୍କା, ହରଡ କ୍ୱିଂଟାଲ ପିଛା ୫,୪୫୦ ଟଙ୍କା ଏବଂ ଚିନାବାଦାମ କ୍ୱିଂଟାଲ ପିଛା ୪,୪୫୦ ଟଙ୍କାରେ କ୍ରୟ କରାଯାଉଥିଲା । ଚଳିତ ଖରିଫ୍ ଋତୁରେ ଏହା ଉପରୋକ୍ତ ବର୍ଦ୍ଧିତ ମୂଲ୍ୟରେ କିଣା ହେବ ।
ରାଜ୍ୟରେ ଡାଲି ଓ ତୈଳବୀଜ ଉତ୍ପାଦନ ପରିମାଣକୁ ବିଚାରକୁ ନେଇ ଚଳିତ ଖରିଫ୍ ଋତୁରେ ସମୁଦାୟ ୧୭,୨୭୬ ମାଟ୍ରିକ୍ ଟନ୍ କ୍ରୟ କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।ଏଥିପାଇଁ ସମବାୟ ବିଭାଗଙ୍କୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯାଇଥିଲା ।
ଗଞ୍ଜାମ, ମାଲକାନଗିରି, ନୂଆପଡା, ସୋନପୁର, କଳାହାଣ୍ଡି, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ ଏବଂ ବଲାଙ୍ଗିର ଆଦି ଓ ତୈଳବୀଜ ତୁଳନାତ୍ମକଭାବେ ଅଧିକ ଉତ୍ପାଦନ ହେଉଛି ବୋଲି କୃଷି ନିର୍ଦ୍ଦେଶକ ଜଣାଇଥିଲେ । ତେଣୁ ଏସବୁ ଜିଲ୍ଲାରେ ପ୍ରଥମେ କ୍ରୟ ଆରମ୍ଭ କରିବା ପାଇଁ ନିଷ୍ପତି ହୋଇଛି । ତେବେ ଅନ୍ୟ ସମସ୍ତ ଜିଲ୍ଲାରେ ଚାହିଦା ଅନୁସାରେ ମଧ୍ୟ ଏହି ଶସ୍ୟ କ୍ରୟ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା ।
ଖରିଫ୍ ଋତୁରେ ଉତ୍ପାଦିତ ଫସଲ ଅ ।ସନ୍ତା ଜାନୁଅ ।ରୀ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ଫେବୃଆରୀ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରାଥମିକ କୃଷି ସମବାୟ ସଂସ୍ଥା ମାନଙ୍କ ମାଧ୍ୟମରେ କୃଷକ ମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି ଗତ ରବି ଋତୁରେ ପ୍ରାୟ ୯,୬୬୧ ମାଟ୍ରିକ୍ ଟନ୍ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବା ବେଳେ ଚଳିତ ଖରିଫ୍ ଋତୁରେ ୧,୧୬୧ ମାଟ୍ରିକ୍ ଟନ୍ ମୁଗ, ୧୦,୪୪୭ ମାଟ୍ରିକ୍ ଟନ୍ ହରଡ, ୪,୪୧୦ ଟନ୍ ବିରି, ୧,୨୫୮ ମାଟ୍ରିକ୍ ଟନ୍ ଚିନାବାଦାମ ଏହିପରି ସମୁଦାୟ ୧୭,୨୭୬ ମାଟ୍ରିକ୍ ଟନ୍ ଡାଲି ଓ ତୈଳବୀଜ ସହାୟକ ମୂଲ୍ୟ ଦେଇ କିଣିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ନାଫେଡ୍, ଏବଂ ଟି.ଡି.ସି.ସିଙ୍କ ମିଳିତ ସହଯୋଗିତାରେ ଏହି ଶସ୍ୟ ସଂଗ୍ରହ କରାଯିବ ।