ଭୁବନେଶ୍ୱର () ଛାତ୍ର ନେତା ପ୍ରକାଶ ତ୍ରିପାଠୀ ଗିରଫ ହେବା ପରେ ରାଜ୍ୟରେ ତେଜୁଛି ଛାତ୍ର ଅସନ୍ତୋଷ । ବିଭିନ୍ନ ଜିଲ୍ଲାର ଛାତ୍ର ନେତା ଓ ସଂଗଠନମାନେ ପ୍ରକାଶଙ୍କ ପ୍ରତି ପୋଲିସର ଅସମ୍ମାନଜନକ ପଦକ୍ଷେପକୁ ନେଇ କ୍ଷୁବ୍ଧ ହୋଇଛନ୍ତି । ସେମାନେ ଏଭିତରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଯୋଜନା କରୁଥିବା ବେଳେ ଏହି ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସବୁ ଛାତ୍ର ସଂଗଠନ ଏକାଠି ହେଉଛନ୍ତି ।

ପୋଲିସର ଏହି ଅପରିଣାମଦର୍ଶିତା ଯୋଗୁଁ ଏବେ ରାଜ୍ୟରେ ଛାତ୍ର ଅସନ୍ତୋଷ ଦାନା ବାନ୍ଧୁଛି । ସବୁ ଛାତ୍ରନେତା ଓ ସଂଗଠନଗୁଡିକ ଖୁବଶୀଘ୍ର ଭୁବନେଶ୍ୱରରେ ମିଳିତ ବୈଠକ କରିବାକୁ ଯାଉଛନ୍ତି । ଏଥିପାଇଁ ଲୋହିଆ ଏକାଡେମୀ ଏବେଠାରୁ ବୁକ ହୋଇଛି । କହ୍ନେୟା କୁମାରଙ୍କ ପରି ଜାତୀୟ ସ୍ତରର ଛାତ୍ରନେତାଙ୍କୁ ବି ଏହି ସମ୍ମିଳନୀକୁ ଆମନ୍ତ୍ରଣ କରାଯାଇଛି । ଏଥିସହିତ ଛାତ୍ରନେତାମାନେ ମେଳି ହୋଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିବେ । ଏଥିସହିତ ଆସନ୍ତାକାଲି ୨୦୦ରୁ ଅଧିକ ଛାତ୍ରନେତା ରାଜଧାନୀରେ ବିଭିନ୍ନ ବରିଷ୍ଠ ନେତାଙ୍କ ଘର ଘର ବୁଲି ପ୍ରକାଶଙ୍କ ଉପରେ ହୋଇଥିବା ଅସମ୍ମାନଜନକ ପଦକ୍ଷେପର ପ୍ରତିବାଦ ଜଣାଇବେ ।
ସେପଟେ ପୋଲିସ ନିକଟରେ ଆତ୍ମସର୍ପଣ କରିଥିବା ପ୍ରକାଶଙ୍କୁ ପୋଲିସ ଗିରଫ ଦର୍ଶାଇବା ପୂର୍ବରୁ ନିସ୍ତୁକ ମାଡ ମାରିଥିବାର ଦେଖିବାକୁ ମିଳିଛି । ପ୍ରକାଶଙ୍କ ଉପରେ ହୋଇଥିବା ପୋଲିସ ମାଡର ସ୍ପଷ୍ଟ ପ୍ରମାଣ ଆମ ହାତରେ ଲାଗିଛି । ପୋଲିସ ମାଡରେ ପ୍ରକାଶଙ୍କ ଗୋଡରେ ନୋଳା ଫାଟିଯାଇଛି । ପ୍ରକାଶଙ୍କ ଉପରେ ପୋଲିସର ଅମାନବୀୟ କାର୍ଯ୍ୟ ପ୍ରତିବାଦରେ ରାଜ୍ୟରେ ଛାତ୍ର ଅଶାନ୍ତି ଆଗାକୁ ଭୟଙ୍କର ରୂପ ନେବାକୁ ଯାଉଥିବା ବେଳେ ନିଆଁରେ ଘିଅ ଢାଳିବା କାମ କରୁଛନ୍ତି ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା । ସେ ଟ୍ୱିଟ କରି ଓଡିଶା ପୋଲିସ ଏବଂ ଛାତ୍ର ନେତାଙ୍କୁ ଯେଉଁଭଳି ଚିତ୍ରତ କରିଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ଅରୁଣ ବୋଥ୍ରା ଜାଣିଶୁଣି ନିଜର ପୁରୁଣା ରାଗ ରାଜ୍ୟ ପୋଲିସ ଉପରେ ସୁଝାଉଛନ୍ତି । ତାଙ୍କୁ ଯେପରି କେନ୍ଦ୍ରାପଡାରୁ କୋରାପୁଟକୁ ଅମାନସୂଚକ ଭାବେ ବଦଳି କରାଯାଇଥିଲା, ଏଭଳି ଛାତ୍ର ଅଶାନ୍ତିକୁ ତେଜି ନିଜ ଅପମାନର ପ୍ରତିଶୋଧ ନେଉଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ମହଲରେ ଚର୍ଚ୍ଚା ହେଉଛି ।
ପ୍ରକାଶଙ୍କ ଉପରେ ହୋଇଥିବା ପୋଲିସ ଆକ୍ସନକୁ ନେଇ କମିଶନରେଟ ପୋଲିସର ଦୋମୁହାଁ ନୀତି ବି ପଦାରେ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘର ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଯୁବକଙ୍କ ଘରୁ ବୋମା ଜବତ ହୋଇଥିଲେ ବି ସେମାନଙ୍କୁ ଏଭଳି ଭାବେ ସିଲଟ ଧରାଇ କାହିଁକି ଫଟୋ ଉତ୍ତୋଳନ କରାଯାଇନଥିଲା । ଥାନାରେ ଦୁଇ ଛାତ୍ର ଗୋଷ୍ଠିର ଆପୋଷ ଲଢେଇର ପ୍ରତିଫଳନ କଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘର ଉପରେ ଆକ୍ରମଣ ଘଟଣା ଠାରୁ ଏହା ଅଧିକ ସମ୍ବେଦନଶୀଳ ଥିଲା?