Odia News Portal

ରାଜ୍ୟରେ କରୋନାକୁ ନେଇ ତୃତୀୟ ଦିନର ତଥ୍ୟ ଦେଲେ ବାଗଚୀ

ଭୁବନେଶ୍ୱର() ଗତ ତିନି ଦିନ ପରି ଆଜି ମଧ୍ୟ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ।

ସେ କହିଛନ୍ତି କରୋନା ନେଇ କୌଣସି ଅବହେଳାର ପ୍ରଶ୍ନ ଉଠୁନି । ଆଜି ସୁଦ୍ଧା କରୋନା ୧୬୭ଟି ଦେଶକୁ ବ୍ୟାପିଛି । କରୋନାରେ ସାରା ବିଶ୍ୱରେ ଏକ ଲକ୍ଷ ୯୯ହଜାର ଲୋକ ଆକ୍ରାନ୍ତ ଅଛନ୍ତି । କରୋନାରେ ଭାରତରେ ୧୪୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଓଡ଼ିଶାରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି । ଓଡ଼ିଶାରେ ୪୭ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ୪୬ଟି ନମୁନା ନେଗଟିଭ୍ ଆସିଛି । ଗତକାଲି ପଠାଯାଇଥିବା ୧୨ଟି ନମୁନା ସବୁ ନେଗଟିଭ୍ ଆସିଛି । ରାଜ୍ୟରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣଙ୍କ ଅବସ୍ଥା ଭଲ ରହିଛି ବୋଲି ସେ କହିଛନ୍ତି । ସେ ଧୀରେ ଧୀରେ ସୁସ୍ଥ ହେବାରେ ମଧ୍ୟ ଲାଗିଛନ୍ତି ।

ଏହାସହ ୧୦୪ ନମ୍ବରର ବ୍ୟାପକତା ଉପରେ ଜୋର ଦିଆଯାଉଛି । ଏବେ ସୁଦ୍ଧା ଅନଲାଇନରେ ବାହାରୁ ଆସିଥିବା ନେଇ ୨୧୩୧ରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି । ୮୦ଟି ଦେଶରୁ ଆସିଥିବା ଲୋକ ପଞ୍ଜୀକରଣ କରିଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦିଆଯାଇଛି । ମହାପ୍ରଭୁ ୧୪ଦିନ ଅଣସରରେ ରହିଥାନ୍ତି ସେହିପରି କ୍ୱାରେଣ୍ଟାଇନରେ ୧୪ଦିନ ରହିବାକୁ କୁହାଯାଉଛି ।

ମାସ୍କ କୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ସୁବ୍ରତ ବାଗଚୀ । ସେ କହିଛନ୍ତି ଯାହାର ଦେହ ଭଲ ନାହିଁ ସେ ମାସ୍କ ପିନ୍ଧିବା ଆବଶ୍ୟକ । ଏହାସହ ସ୍ୱାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ମାସ୍କ ପିନ୍ଧିବା ଆବଶ୍ୟକ । କିନ୍ତୁ ମାସ୍କ ଯଦି ଆବଶ୍ୟକ ନାହିଁ ତାହାଲେ ନପିନ୍ଧିବାକୁ ସେ କହିଛନ୍ତି । ଏହାସହ ସାନିଟାଇଜର ବଦଳରେ ସାବୁନରେ ହାତ ଧୋଇଲେ ବି ନିରାପଦ ବୋଲି ସେ କହିଛନ୍ତି । ମନ୍ଦିର, ମସ୍ଜିଦ, ଗୀର୍ଜାକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।