ଭୁବନେଶ୍ୱର() ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଭାରତୀୟ ଜନତା ପାର୍ଟି କେବେ ହେଲେ ପଛଘୁଞ୍ଚା ଦେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡିଶାବାସୀଙ୍କୁ ଭର୍ଚୁଆଲ ରାଲିରେ ଉଦବୋଧନ ଦେଇ କହିଛନ୍ତି । ଶ୍ରୀ ଶାହା ଆହୁରି ପ୍ରତିଶ୍ରୁତି ଦେଇଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ସରକାର ଗରିବ ଦଳିତ ଓ ଅବହେଳିତ ଲୋକଙ୍କର ସରକାର । ସେମାନଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଜନଧନ ଯୋଜନାରେ ୩୧ କୋଟି ଲୋକଙ୍କୁ ସାମିଲ କରାଯାଇଛି । ଗାଁ ଗହଳିର ୮କୋଟି ମା’ ଭଉଣୀ ମାନଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି ।ସେହିପରି ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ବିଜୁଳି ଶକ୍ତି ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି । ବିଶ୍ୱର ୨୫ କୋଟି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ।
ଆୟୁଷ୍ମାନ ଯୋଜନାରେ ପ୍ରତ୍ୟେକ ଦରିଦ୍ର ଲୋକମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ହେବା ସହିତ ୬୦ କୋଟି ଲୋକଙ୍କ ଜୀବନରଧାରାକୁ ବିକଶିତ କରିବା ଲାଗି ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକଙ୍କ ଘରେ ଘରେ ବିଦ୍ୟୁତ ଶକ୍ତି, ସ୍ୱାସ୍ଥ୍ୟ ସେବା,ପାନିୟ ଜଳ ଯୋଗାଣ ସହିତ ବାସହୀନଙ୍କୁ ବାସଗୃହ ଯୋଗାଣ କ୍ଷେତ୍ରରେ ମୋଦି ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସମଗ୍ର ବିଶ୍ୱରେ ଭାରତ ତାର ନିଜର ସ୍ୱତନ୍ତ୍ର ସ୍ଥିତାବସ୍ଥାକୁ ସୁଦୃଢ କରିପାରିଛି । ଏହା କେବଳ ମୋଦିଙ୍କ ପ୍ରତି ଦେଶବାସୀଙ୍କର ଅକୁଣ୍ଠ ସମର୍ଥନ ଯୋଗୁ ସମ୍ଭବ ହୋଇପାରିଛି ।
ଶ୍ରୀ ଶାହା ତାଙ୍କ ଉଦବୋଧନ ପ୍ରାରମ୍ଭରେ ଓଡିଶାବାସୀ, ବିଜେପିର ସମସ୍ତ କର୍ମକର୍ତା ଓ ଭୋଟର ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଓଡିଶାର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏହି ସମାବେଶରେ ଉଦବୋଧନ ଦେଇ କେନ୍ଦ୍ର ଇସ୍ପାତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପୂର୍ବ ଭାରତର ବିକାଶ ପାଇଁ ଓଡିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରରେ କୃତଜ୍ଞ ରହିବେ ।
ଓଡିଶା ଓ ପଶ୍ଚିମବଙ୍ଗରେ ନିକଟରେ ଅମ୍ପନ ବାତ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗତମାସ ୨୨ ତାରିଖରେ ଓଡିଶା ଓ ପଶ୍ଚିମବଙ୍ଗ ପରଦର୍ଶନରେ ଆସିଥିଲେ । ଏଠାରୁ ଫେରବାର ୨୪ ଘଣ୍ଟା ନପୂରୁଣୁ ପରଦିନ ଅର୍ଥାତ ୨୪ ତାରିଖରେ ରବିବାର ଛୁଟିଦିନ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗକୁ ଏକ ହଜାର କୋଟି ଟଙ୍କା ଏବଂ ଓଡିଶାକୁ ପାଞ୍ଚ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ । ଯଦିଓ ଏହି ଦୁଇ ରାଜ୍ୟରେ ବିଜେପି ସରକାର ନଥିଲା ତଥାପି ପ୍ରଧାନମନ୍ତ୍ରୀ ଦଳଗତ ଚିନ୍ତାଧାରାରୁ ଉର୍ଦ୍ଧ୍ବରେ ରହି ଏହି ଦୁଇ ରାଜ୍ୟବାସୀଙ୍କ ପାଇଁ ହାତଖୋଲି ଟଙ୍କାର ବର୍ଷା ସୃଷ୍ଟି କରିଛନ୍ତି । କିନ୍ତୁ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ଓଡିଶାର ଦାବି ଉପସ୍ଥାପନ କରିବା ପାଇଁ ବିଧାନସଭା ଗୃହ କମିଟି ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଟଙ୍କା କ’ଣ ଗଛରେ ଫଳୁଛି ବୋଲି କହି ଓଡିଶାବାସୀଙ୍କୁ ଅପମାନ କରିଥିଲେ ।
କିନ୍ତୁ ଓଡିଶାର ବିକାଶ ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ତରିକତାକୁ ଓଡିଶାବାସୀ କେବେ ହେଲେ ଭୁଲି ପାରିବେ ନାହିଁ । ଏହି ସମାବେଶରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଶଢଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପାଲାମେଣ୍ଟ ସଦସ୍ୟ ଅପରାଜିତା ଶଢଙ୍ଗୀ, ସୁରେଶ ପୁଜାରୀ, ବିଧାନସଭା ବିରୋଧି ଦଳର ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।