Odia News Portal

ସରକାରୀ ବିରୋଧି ଲେଖାପାଇଁ ବୋଥ୍ରାଙ୍କୁ ଅନୁମତି ଦେଲା କିଏ ?

ଭୁବନେଶ୍ବର : ଗୋଟିଏ ଜାତୀୟ ଇଂରାଜୀ ସମ୍ବାଦପତ୍ରରେ ରାଜ୍ୟର ଆଇନ୍‍ଶୃଙ୍ଖଳା ନେଇ ଲେଖା ପ୍ରକାଶ କରି ଚର୍ଚ୍ଚାରେ ଥିବା ବରିଷ୍ଠ ପୁଲିସ୍‍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଥମୁ ନଥିବାବେଳେ ଏହି ଲେଖା ପ୍ରକାଶ ପାଇଁ ତାଙ୍କୁ କିଏ ଅନୁମତି ଦେଇଥିଲା ତାହାକୁ ନେଇ ଏବେ ଖୋଳତାଡ ଚାଲିଛି । କାରଣ ସରକାରଙ୍କ ଅଧିନରେ କାର୍ଯ୍ୟରତ କୌଣସି ବେତନଭୋଗୀ କର୍ମଚାରୀ ଗଣମାଧ୍ୟମରେ ନିଜସ୍ୱ ଲେଖା ପ୍ରକାଶ କରିବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେବେ । ସେମାନଙ୍କ ଚାକିରୀ ସର୍ତ୍ତାବଳୀ (କଣ୍ଟକ୍ଟ ରୁଲ୍ସ) ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।
ଅରୁଣ ବୋଥ୍ରାଙ୍କ ଭଳି ଜଣେ ଉଚ୍ଚପଦସ୍ଥ ପୁଲିସ୍‍ ଅଫିସର ଏହା ଜାଣିଛନ୍ତି ନା ଜାଣି ଅଜଣା ବୋଲି ଏବେ ପ୍ରଶ୍ନ ଉଠିଲାଣି । ଯଦି ଜାଣିଛନ୍ତି ତେବେ କାହାଠାରୁ ଅନୁମତି ନେଇଛନ୍ତି, ଆଉ ଯଦି ଜାଣି ନାହାନ୍ତି ତେବେ କାହା ଇଙ୍ଗିତରେ ରାଜ୍ୟ ସରକାରଙ୍କୁ ରାସ୍ତାରେ ଠିଆ କରାଇଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଶ୍ରୀ ବୋଥ୍ରା ଯାହା ଲେଖିଛନ୍ତି ତାହା ଖାଲି ରାଜ୍ୟ ସରକାରଙ୍କୁ ନୁହେଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି କାଠଗଡାରେ ଛିଡା କରାଇ ଦେଇଛି । ରାଜ୍ୟରେ ଆଇନ୍‍ଶୃଙ୍ଖଳା ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି ବୋଲି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହୁଥିବାବେଳେ ତାଙ୍କ ମନ୍ତ୍ରୀ ଓ ବିଧାୟକମାନେ ବି ବୁଲି ବୁଲି ଏହା କହୁଛନ୍ତି ।
ହେଲେ ବୋଥ୍ରା ସାହେବ ଜାତୀୟ ସ୍ତରରେ ଦେଖାଇଦେଲେ ଯେ ଓଡିଶାରେ ଆଇନ୍‍ଶୃଙ୍ଖଳା ସ୍ଥିତି କେତେ ଦୟନୀୟ । ଏଠାରେ କିଭଳି ନାରୀ ନିର୍ଯ୍ୟାତନାକାରୀମାନେ ସହଜରେ ଖସିଯାଆନ୍ତି । ଜାତୀୟ ସ୍ତରରେ ୧୮ପ୍ରତିଶତ ଅପରାଧି ଦଣ୍ଡ ପାଉଥିବାବେଳେ ଓଡିଶାରେ ଏହା ୧୦ପ୍ରତିଶତରୁ କମ୍‍ ରହିଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଖାଲି ସେତିକି ନୁହେଁ ଓଡିଶାରେ ପୀଡିତା ପରିବାର କିଭଳି ବଳାକ୍ରାରୀ ଓ ନିର୍ଯ୍ୟାତନାକାରୀଙ୍କ ସହିତ ମୂଲଚାଲ କରି ଖସିଯାଆନ୍ତି ତାହା ବି ଦର୍ଶାଇଛନ୍ତି । ଶ୍ରୀ ବୋଥ୍ରା ଅବଶ୍ୟ ପୁଲିସ୍‍ର ଫୋରେସନ୍‍ସିକ୍‍ ଓ ଅନ୍ୟ ତଦନ୍ତକୁ ପ୍ରଶଂସା କରିଛନ୍ତି । ଏତେ ସବୁ ସତ୍ୱେ ଅପରାଧୀ ଦଣ୍ଡ ପାଉନଥିବା କହିଛନ୍ତି ।
ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧି ବିଜେପି ଓ କଂଗ୍ରେସ ରାଜ୍ୟର ଆଇନ୍‍ଶୃଙ୍ଖଳା ବିଶେଷକରି ନାରୀ ନିର୍ଯ୍ୟାତାନ ଘଟଣାକୁ ନେଇ ସରକାରଙ୍କୁ ଘେରିବା ସହିତ ନାଲି ଚୁଡି ନେଇ ନବୀନ ନିବାସ ଘେରାଉ କରୁଥିବାବେଳେ ରାଜ୍ୟର ଜଣେ ସର୍ବୋଚ୍ଚ ସ୍ତରର ପୁଲିସ୍‍ ଅଧିକାରୀ ଏଭଳି ଅଗ୍ରଲେଖା ଲେଖିବା ଏବେ ନାନା ପ୍ରଶ୍ନ ସୃଷ୍ଟି କରିବାରେ ଲାଗିଛି । କାହା ଇଙ୍ଗିତରେ ସେ ଏଭଳି ସାହସ କୁଳାଇ ପାରିଲେ ସେକଥା ଅନ୍ୟ ବରିଷ୍ଠ ପୁଲିସ୍‍ ଅଫିସରମାନେ ବି ବୁଝିପାରୁ ନାହାନ୍ତି । କାରଣ ବର୍ତ୍ତମାନ ସୁଦ୍ଧା ଅନ୍ୟ ଯେଉଁ ପୁଲିସ୍‍ ଓ ସରକାରୀ ବାବୁମାନେ ବିଭିନ୍ନ ଗଣମାଧ୍ୟମରେ ଲେଖାଲେଖି କରୁଛନ୍ତି ସେମାନେ ସାମାଜିକ ଧାର୍ମିକ ଅଥବା ଇତିହାସକୁ ନେଇ ବିବାଦ ବିହୀନ ଲେଖା ପ୍ରକାଶ କରୁଛନ୍ତି ।
ହେଲେ କୋଡ୍‍ ଅଫ୍‍ କଣ୍ଡକ୍ଟକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରିଦେବା ପରେ ବି ଏ ଦିଗରେ ରାଜ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି କି ସମ୍ପୃକ୍ତ ଲେଖକଙ୍କୁ ଏ ନେଇ କୈଫତ ମାଗୁ ନାହାନ୍ତି । ଏହା ଦେଖିଲା ପରେ ଆଗାମୀ ଦିନରେ ଆଉ କିଛି ପୁଲିସ୍‍ ବାବୁ ଓ ସରକାରୀ ଅଫିସର ବିନା ଭୟରେ ସରକାରୀ ଲେଖା ଲେଖିବାକୁ ସାହସ କୁଳାଇବେ ବୋଲି ଏବେ ସଚିବାଳୟରେ ଚର୍ଚ୍ଚା ହେଉଛି ।