ଏଣିକି ନିଯୁକ୍ତି ଦାତାମାନେ ନିଜ ମନଇଛା ମହିଳା କର୍ମଚାରୀଙ୍କ ଡ୍ୟୁଟି ସିଡ୍ୟୁଲ କରିପାରିବେ ନାହିଁ। ଯଦି ମହିଳା କର୍ମଚାରୀଙ୍କୁ ନାଇଟ୍ ଡ୍ୟୁଟି ଦେବାକୁ ପଡୁଥାଏ ତେବେ ଏଥିପାଇଁ ତାଙ୍କର ସହମତି ନେବାକୁ ହେବ। କାର୍ୟ୍ୟସ୍ଥଳରେ ମହିଳା ଓ ଅନ୍ୟ କର୍ମଚାରୀଙ୍କ ସ୍ବାର୍ଥକୁ ନେଇ ଦୀର୍ଘ ସମୟରୁ ହୋଇ ଆସୁଥିବା ଦାବିକୁ ଏହି ବିଧେୟକରେ ଗୁରୁତ୍ବ ଦିଆଯାଇଛି। ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପ୍ରସ୍ତୁତ କରିଥିବା ବିଧେୟକକୁ ସନ୍ତୋଷ ଗଙ୍ଗୱାର ଲୋକସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ମହିଳା କର୍ମଚାରୀଙ୍କୁ ନେଇ ପ୍ରଚଳିତ ନୀତି ଓ ନିୟମରେ ଅନେକ ପରିବର୍ତ୍ତନ ହୋଇଛି। ସକାଳ ୬ ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ସିଫ୍ଟ ନିମନ୍ତେ ବସ୍ ଙ୍କୁ ପ୍ରଥମେ ସେମାନଙ୍କ ଅନୁମତି ନେବାକୁ ହେବ। କେବଳ ସେତିକି ନୁହେଁ କାର୍ୟ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଦାୟିତ୍ବ ମଧ୍ୟ ସଂସ୍ଥା ଗ୍ରହଣ କରିବେ।
ସେହିପରି କୌଣସି କର୍ମଚାରୀ ସପ୍ତାହରେ ୬ ଦିନରୁ ଅଧିକ କାର୍ୟ୍ୟ କରିପାରିବେ ନାହିଁ। କେବଳ ପରିବହନ କର୍ମଚାରୀଙ୍କୁ ଛାଡି ଦେଲେ ଅନ୍ୟ କର୍ମଚାରୀ ପ୍ରତି ୨୦ ଦିନରେ ସବେତନ ଗୋଟିଏ ଛୁଟି ଓ ପ୍ରତି ୧୮ ଦିନରେ ଗୋଟିଏ ମେଡିକାଲ ଲିଭ ନେଇ ପାରିବେ। ତେବେ ମେଡିକାଲ ଲିଭରେ ଥିବା ବେଳେ କର୍ମଚାରୀଙ୍କୁ ବେତନର ଅଧା ପ୍ରଦାନ କରାଯିବ। ସେହିପରି କର୍ମଚାରୀଙ୍କ ପାଇଁ କାର୍ୟ୍ୟ ଘଣ୍ଟା ଅନୁସାରେ କାର୍ୟ୍ୟ କରିବା ଅନିବାର୍ୟ୍ୟ। ଯଦି କାର୍ୟ୍ୟ ଘଣ୍ଟା ପରେ କର୍ମଚାରୀଙ୍କୁ ଓଭର ଟାଇମ୍ କରାଯାଉଥାଏ ତେବେ ଏ କ୍ଷେତ୍ରରେ ଓଭରଟାଇମ ଦୈନିକ ବେତନର ୨ ଗୁଣ ହେବ।