Odia News Portal

ଡାକ୍ତରଖାନାରେ ଶିଶୁ ଅଦଳ ବଦଳ

ସୋନପୁର: ଡାକ୍ତରଖାନାରେ ଶିଶୁ ଅଦଳ ବଦଳ କୁ ନେଇ ଆସିଛି ସାଘାଂତିକ ଅଭିଯୋଗ ।ପୋଲିସ ଘଟଣା ସ୍ଥଳରେ ପହଂଚି ଖୋଳତାଡ କରୁଛି । ସୂଚନାନୁସାରେ ଗତ ସୋମବାର ଦିନ ଜିଲ୍ଲାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ପତ୍ନୀ ବିନିତାଙ୍କ ପ୍ରସବ କଷ୍ଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିନିତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀମାନେ ବିଶିକେଶନଙ୍କୁ କହିଥିଲେ । କିନ୍ତୁ ଏହାର କିଛି ସମୟ ପରେ ତାଙ୍କର ପୁଅ ନୁହେଁ ବରଂ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି ସୂଚନା ଦେଇଥିଲେ ।


ତେବେ ଠିକ୍ ସେହି ସମୟରେ ଅନ୍ୟ ପ୍ରସୂତି ମହିଳାମାନଙ୍କର ବି କନ୍ୟା ସନ୍ତାନ ହୋଇଥିବା ପ୍ରସୂତି ବିଭାଗରୁ ଖବର ଆସିଥିଲା । ଫଳରେ ପ୍ରଥମେ ଶିଶୁ ପୁତ୍ର ହୋଇଥିବା କହି ପରେ ପୁଣି ଶିଶୁ କନ୍ୟା ହୋଇଥିବା ସୂଚନା ଦେବା ପରେ ବିଶିକେଶନ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏନେଇ ସେ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । ବିଶିକେଶନଙ୍କ ଅଭିଯୋଗ କ୍ରମେ ପୋଲିସ ଚିକିତ୍ସାଳୟକୁ ପହଞ୍ଚି ଶିଶୁ ବଦଳ ଅଭିଯୋଗର ତଦନ୍ତ କରୁଛି । ପ୍ରସୂତି ବିଭାଗ ପକ୍ଷରୁ ଠିକ ସୂଚନା ଦିଆଯାଉ ନଥିବାରୁ ଏଭଳି ଅସନ୍ତୋଷଜନକ ବାତାବରଣ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।