Odia News Portal

ଚିଣ୍ଟୁ ମୁହଁରେ ହସ ଫୁଟାଇଲେ ବାବୁଶାନ୍

ଫ୍ୟାନ୍‌ଙ୍କ ଇଛା ପୂରଣ ଓ ସାହାଯ୍ୟ ପାଇଁ ଏସସିବି ପହଞ୍ଚିଲେ ଅଭିନେତା

ଭୁବନେଶ୍ୱର: ଚିଣ୍ଟୁ ମୁହଁରେ ହସ ଫୁଟାଇଲେ ହିରୋ ବାବୁଶାନ୍ । ନିଜର ଜଣେ ଫ୍ୟାନ୍‌ଙ୍କ ଇଛା ପୂରଣ ଓ ସାହାଯ୍ୟ ପାଇଁ ପହଞ୍ଚିଲେ ଏସସିବି ମେଡିକାଲ । ଆଉ ନିଜର ପ୍ରିୟ ହିରୋଙ୍କୁ ପାଖରେ ଦେଖି ଖୁବ ଅଧିକ ଖୁସି ହୋଇ ଯାଇଛନ୍ତି ୧୪ ବର୍ଷିୟ ଚିଣ୍ଟୁ । କାମାକ୍ଷାନଗର ଅଞ୍ଚଳରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ଚିଣ୍ଟୁ ।

ତେବେ ଏହି ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ଼ ଓ ଦୁଇ ହାତରେ କରେଣ୍ଟ ଲାଗି ଜଳି ଯାଇଥିଲା ।ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ନିରାଶ ହେବା ପରେ କଟକ ଏସସିବି ମେଡିକାଲରେ ଚିଣ୍ଟୁଙ୍କୁ ଭର୍ତ୍ତି କରିଥିଲେ ପରିବାର ଲୋକେ ।ତେବେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଡାକ୍ତରମାନଙ୍କ ଚେଷ୍ଟା ଦ୍ୱାରା ଚିଣ୍ଟୁର ଜୀବନ ବଞ୍ଚିଗଲା, କିନ୍ତୁ ଦୁଇ ହାତ ଓ ଗୋଟେ ଗୋଡ଼ କାଟିବାକୁ ପଡିଛି ଡାକ୍ତରଙ୍କୁ ।

ତେବେ ଏହି ସମୟରେ ମେଡିକାଲରେ ଚିକିତ୍ସିତ ହେଉଥିବା ଚିଣ୍ଟୁ ନିଜ ପ୍ରିୟ ହିରୋ ବାବୁସାନଙ୍କୁ ଦେଖିବା ପାଇଁ ତା ଭାଇକୁ ଜଣାଇଥିଲା । ଆଉ ସାନ ଭାଇର ଏହି ଇଚ୍ଛାକୁ ପୁରା କରିବା ପାଇଁ ଲାଗି ପଡ଼ିଥିଲେ ବଡ ଭାଇ | ଆଉ ଶେଷରେ ଏହି ଖବର ଯାଇ ପହଞ୍ଚିଥିଲା ବାବୁଶାନଙ୍କ ପାଖରେ, ଆଉ ଚିଣ୍ଟୁକୁ ଭେଟିବା ପାଇଁ ମେଡିକାଲ ଆସିଥିଲେ ବାବୁଶାନ୍ ।ତେବେ ବାବୁଶାନଙ୍କୁ ହଠାତ୍ ଡାକ୍ତରଖାନାରେ ଦେଖି ଚିଣ୍ଟୁର ଖୁସି କହିଲେ ନ ସରେ। ବାବୁଶାନ୍ ସହ ଫଟୋ ଉଠାଇଥିଲା ଚିଣ୍ଟୁ। ତେବେ ତାର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବାବୁଶାନ୍ ।