Odia News Portal

ସାମ୍ନାକୁ ଆସିଲେ ପ୍ରକୃତି, ଗଣମାଧ୍ୟମକୁ ଦେଲେ ନିଜର ପ୍ରତିକ୍ରିୟା

ବାବୁସାନ ମହାନ୍ତିଙ୍କ ପରି ନିଜ ଘରର ଛାତ ଉପରକୁ ଆସିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଆଉ ଘର ସମ୍ମୁଖରେ ଥିବା ଠିଆ ହୋଇଥିବା ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ହାତ ହଲାଇଲେ ଏବଂ ନମସ୍କାର କଲେ। କହିଲେ, ସମୟ ଆସିଲେ ସବୁ କହିବି। ଥେଙ୍କ୍ ୟୁ ଆଜ୍ଞା..। ପ୍ରବଳ ଖରା ହେଉଛି.. ପ୍ଲିଜ୍ ଆପଣମାନେ ପଳାଇ ଯାଆନ୍ତୁ। ଆପଣମାନେ ଆସିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ମେଞ୍ଚା ମେଞ୍ଚା ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ।

ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଉଠିଥିବା ବିବାଦର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଦୁହେଁ ଏକ କାରରେ ଏୟାରପୋର୍ଟ ଯାଉଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଧରିଥିଲେ । ଏହାପରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରିଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ । ଏନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ତେବେ  ଆଜି ସାମ୍ନାକୁ ଆସିଛନ୍ତି ପ୍ରକୃତି । ପ୍ରକୃତି ତାଙ୍କର ଘରର ଛାତ ଉପରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲା । ଛାତ ଉପରେ ପ୍ରକୃତିଙ୍କ ସହ ତାଙ୍କ ବାପା ମଧ୍ୟ ଉପସ୍ଥିତ ଥିଲୋ । ‘ଅପେକ୍ଷା କରନ୍ତୁ, ସମୟ ଆସିଲେ ସବୁ କଥା ଜାଣିପାରିବ’ ବୋଲି ପ୍ରକୃତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହା ପୂର୍ବରୁ ପ୍ରକୃତି ମଧ୍ୟ ଏକାଧିକ ଭିଡିଓ ଶେୟାର କରି ନିଜର ମତାମତ ରଖିଥିଲେ ।

ପୂର୍ବରୁ ପ୍ରକୃତିଙ୍କ ବାପା, ମାଆ ଓ ତୃପ୍ତିଙ୍କ ପକ୍ଷରୁ ଥାନାରେ ଅଲଗା ଅଲଗା ଏତଲା ଦିଆଯାଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖାଯାଇଥିଲା । ଏହା ମଧ୍ୟରେ ପ୍ରକୃତିଙ୍କୁ ପୋଲିସ ଜେରା କରିସାରିଥିବା ବେଳେ ବାବୁସାନଙ୍କୁ ମଧ୍ୟ ପୂର୍ବରୁ ସମନ ଜାରି କରାଯାଇଥିଲା । ଗତ ୨୭ ତାରିଖରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତୃପ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ବାବୁସାନ ଅଭିଯୁକ୍ତ ଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ ।