Odia News Portal

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ହେବେ ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ

ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନ ବିଗୁଲ । ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଖୁବ ଶୀଘ୍ର ଏକ ବଡ ନିଷ୍ପତ୍ତି ନେଇପାରେ | ତେବେ କିଏ ହେବ ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ, ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଇପାରେ |

ମିଳିଥିବା ସୂଚନା ମୁତାବକ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି(ବିଜେପି)ରେ ବିଲୟ ହୋଇପାରେ | ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ପରେ ଅମରିନ୍ଦର ସିଂ ଲଣ୍ଡନରୁ ଫେରିବା ପରେ ଏଥିରେ ଅନ୍ତିମ ମୋହର ଲଗାଯାଇପାରେ ।

ସୂଚନା ଥାଉ କି ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କ୍ୟାପଟେନଙ୍କ ବୟସ ୮୦ ବର୍ଷ ହୋଇଥିବାରୁ ଓ ଏହିପରି ବ୍ୟକ୍ତିଙ୍କୁ ବିଜେପିରେ ଟିକେଟ ଦିଆଯିବାର ପରମ୍ପରା ନଥିବାରୁ ତାଙ୍କୁ ଟିକେଟ ଦିଆଯାଇନଥିଲା | ଆଉ ଯେଉଁଥିପାଇଁ କ୍ୟାପଟେନ ଅମରିନ୍ଦର ଏକ ପୃଥକ ଦଳ ଗଠନ କରିଥିଲେ। ପୃଥକ ଦଳ ଗଠନ କରିଥିଲେ ବି ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲେ |

ସୂଚନାଯୋଗ୍ୟ ଯେ ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ଆଉ କ୍ୟାପଟେନଙ୍କ ଦଳର ବିଜେପି ସହ ମିଶ୍ରଣ ପରେ ଉପ-ରାଷ୍ଟ୍ରପତି ପାଇଁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନାମିତ କରାଯାଇପାରେ ।

ଉଲ୍ଲେଖ ଥାଉ କି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ଶେଷ ହେବ। ଏଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କରିବା ପାଇଁ କୁହାଯାଇଥିବା ବେଳେ ନିର୍ବାଚନ ଆୟୋଗ ଅଗଷ୍ଟ ୬ ତାରିଖ ଧାର୍ଯ୍ୟ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ଜାରି କରାଯିବ। ଏଥି ସହିତ ଜୁଲାଇ ୧୯, ୨୦୨୨ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଯିବ। ଜୁଲାଇ ୨୦ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବା ସହିତ ଜୁଲାଇ ୨୨ ମଧ୍ୟ‌ରେ ଆବେଦନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ମତଦାନ ଆବଶ୍ୟକ ହୁଏ, ତେବେ ଅଗଷ୍ଟ ୬ରେ ଭୋଟ୍ ଦିଆଯିବ। ମତଦାନ ସମୟ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ହେବ। ମତଦାନ ଦିନ ହିଁ ଭୋଟ ଗଣତି ମଧ୍ୟ କରାଯିବ।