Odia News Portal

ଭଦ୍ରକରେ ଆଉ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଦ୍ରକ : ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଧାମନଗର ଓ ତିହିଡ଼ି ବ୍ଲକର ୫ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ତିହିଡ଼ି ବ୍ଲକର ବାମନବିନ୍ଧା ଓ କାଁପଡ଼ା ପଞ୍ଚାୟତ ଏବଂ ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଡ଼ା, ଆନନ୍ଦପିର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ବର୍ତ୍ତମାନ ଜିଲ୍ଲାର ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । ଗତକାଲି ଧାମନଗର ଓ ତିହିଡ଼ି ବ୍ଲକରେ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ୬ଟି ପଞ୍ଚାୟତରେ ୧୬ ଜଣ କରୋନା ପଜିଟିଭ ବାହାରିଛନ୍ତି । ପୂର୍ବରୁ ଭଦ୍ରକ, ଭଣ୍ଡାରିପୋଖରୀ, ବାସୁଦେବପୁର ବ୍ଳକ ଅଞ୍ଚଳରେ ମୋଟ ୧୨ ଜଣ ଆକ୍ରାନ୍ତ ବାହାରିଥିଲେ । ପୂର୍ବରୁ ୨ଟି ବ୍ଳକର ୧୩ଟି ପଞ୍ଚୟତକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିବାବେଳେ ଗତକାଲି ଧାମନଗର ଓ ତିହିଡ଼ି ବ୍ଲକର ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆଜି ଝିପି ଝିପି ବର୍ଷା ସତ୍ତ୍ୱେ କରୋନା ଚେନ୍‌କୁ କାଟିବା ପାଇଁ ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ ଚାଲିଛି।