Odia News Portal

ଦଦରା ଗାଡି ଓ ଅଚଳ ସିସିଟିଭିରେ ଚାଲିଛି ଅପରାଧ ମୁକାବିଲା

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ ଚୋର ଲୁଟେରାଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଥିବାବେଳେ ପୁଲିସ୍‍ କିନ୍ତୁ ପୁରୁଣା ଦଦରା ଗାଡି ଓ ଅଚଳ ସିସିଟିଭି ଧରି ସୋମନଙ୍କ ମୁକାବିଲା କରୁଛି । ପୁଲିସ୍‍ ଚଢୁଥିବା ପିସିଆର ଗାଡି ଗୁଡିକ କୌଣସି ଦୁଇଚକିଆ ଗାଡି ପଛରେ ଯିବାକୁ ବଳ ଯୁଟାଇ ପାରୁନଥିବାବେଳେ ଅଧିକାଂଶ ଛକରେ ଲାଗିଥିବା ସିସିଟିଭି କାମ କରୁନାହିଁ । କେଉଁ କ୍ୟାମେରାରେ ଗାଡିର ପଛପଟ ଉଠୁଛି ତ ଆଉ କେଉଁଠି ଆଗପଟ । ଫଳରେ କ୍ୟାମେରା କେବଳ ପ୍ରଦର୍ଶନ ପାଇଁ
ଲାଗିଛି ବୋଲି ତଳିଆ ପୁଲିସ୍‍ କର୍ମଚାରୀାମନେ କହୁଛନ୍ତି । କ୍ୟାପିଟାଲବାସୀ ଏବେ ଦୁଇଟି ବିପଦକୁ ସାମ୍ନା କରୁଛନ୍ତି ।
ଗୋଟିଏ ହେଲା ମହାମାରୀ କରୋନା ଓ ଆଉ ଗୋଟିଏ ହେଲା ମହା ଲୁଟେରା ଗ୍ୟାଙ୍ଗ୍‍ । ସହର ଭିତରେ, ଲୋକସେବାଭବନ ଆଗରେ ଓ କ୍ୟାପିଟାଲ ଥାନା ଠାରୁ କେଇହାତ ଦୂରରେ ଏହି ଲୁଟେରାମାନେ ଯେଭଳି ଆତଙ୍କ ଖେଳାଉଛନ୍ତି ତାହାକୁ ଦେଖିଲାପରେ ଏମାନେ ଏବେ କରୋନାଠୁ ଭୟଙ୍କର ବୋଲି ଲୋକେ କହିଲେଣି । କରୋନା କଟକଣା ବେଳେ ଟିଭି କ୍ୟାମେରା ସାମ୍ନାରେ ଲୋକଙ୍କୁ ପିଟୁଥିବା ପୁଲିସ୍‍ କିଭଳି ଜଣେହେଲେ ଲୁଟେରାକୁ ଧରିପାରୁ ନାହିଁ ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜଧାନୀର ଅନ୍ୟକୌଣସି ଅଞ୍ଚଳ ନୁହେଁ ଖୋଦ ଲୋକସେଭାଭବନର ଅପରପାଶ୍ୱର୍ରେ ଗତ ସପ୍ତାହ ମଧ୍ୟରେ ଏମାନେ ୧୦ଟି ପର୍ଯ୍ୟନ୍ତ ମୋବାଇଲ ଝାମ୍ପିବା ସହିତ ମହିଳାଙ୍କ ବେକରୁ ସୁନାଚେନ୍‍ ଛିଡାଇ ନେଲେଣି । ହେଲେ ଜଣେ ହେଲେ ଲୁଟେରା ଧରାପଡୁ ନାହାନ୍ତି । ସେହିଭଳି ନିଶାଡିଙ୍କ ଆଡ୍ଡାସ୍ଥଳ ପାଲଟିଥିବା ଛଅ ନମ୍ବର ଅଞ୍ଚଳ ଏବେ ଚୋରଙ୍କ ନୂଆ ଠିକଣା ହୋଇଛି ।
ନିଶା ସେବନ ପରେ ଘର ଆଜବେଷ୍ଟସନ ଓ କବାଟ ଭାଙ୍ଗି ଏମାନେ ପଶୁଛନ୍ତି । ପୁଳିସର ପଇଁତରା ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ । ଯେଉଁ ନିଶାଡିଙ୍କୁ ଧରି ନେଉଛି ସେମାନେ ପୁଣି ଜାମିନରେ ଆସି ଧନ୍ଦା ଚଳାଉଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ପୁଲିସ୍‍ ଉପରୁ ଲୋକଙ୍କ ଭରସା ଉଠିଯିବାରୁ ଚୋରି ହେଲେ ବି ଆଉ ଥାନାକୁ ଯାଉ ନାହାନ୍ତି । ଯିଏ ଥାନାକୁ ଯାଉଛି ପୁଲିସ୍‍ ତାକୁ ଏତେ ଟିଉସନ କରୁଛି ପରେ ଆଖପାଖ ଲୋକେ ଯିବାକୁ ଡରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ସହରରେ ଲାଗିଥିବା ସିସିଟିଭି ସଂଖ୍ୟା ବଢୁନଥିବାବେଳେ ଯାହାସବୁ ଲାଗିଛି ସେଗୁଡିକ ଅଚଳ । କେବଳ ଖୁଣ୍ଟରେ ଝୁଲିବା ସାର ହେଉଛି । କିଛିଦିନ ତଳେ କୁହାଯାଇଥିଲା ଯେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଲଗାଉଥିବା ସିସିଟିଭିର ସାହାଯ୍ୟ ନିଆଯିବା ।
ହେଲେ ସ୍ମାର୍ଟସିଟି ସିସିଟିଭି ବି ଅଧାପନ୍ତରିଆ ଅବସ୍ଥାରେ ରହିଛି । ତେଣୁ ରାଜଧାନୀର ଉଇ କେୟାର ଉଇ ଡେୟାର ପୁଲିସ୍‍ କେବଳ ଅନ୍ଧାରରେ ବାଡି ବୁଲାଇବା ସହିତ ଚୋରଙ୍କୁ ଧରିବାକୁ ଚୋର ସହାୟତା ନେଉଛି । ଫଳରେ ଦଳେ ଭିତରେ ରହିଲେ ଆଉ କିଛି ବାହାରେ ରହି ଅପରେସନ ଚଳାଉଛନ୍ତି । ଚୋରଙ୍କ
ସାହସ ଏଭଳି ହେଲାଣି ଯେ ସାନ ବଡକାହାକୁ ଛାଡୁ ନାହାନ୍ତି । ଅଳ୍ପ ଦିନ ତଳେ ଜଣେ ଆଇପିଏସ୍‍ଙ୍କ ଘରେ କଳାକନା ବୁଲାଇଥିବାବେଳେ କେଉଁଦିନ ରାଜଭବନ ଓ ଲୋକସେବା ଭବନରେ ପଶିବେ ତାହାକୁ ଲୋକେ ଅପେକ୍ଷା କରିଛନ୍ତି ।