Odia News Portal

ଉଚ୍ଛେଦ ପାଇଁ ଆସିଥିଲେ : ଥଣ୍ଡା ପିଇ ପଳାଇଲେ

ଭୁବନେଶ୍ୱର : ରାସ୍ତା ଉପରେ ବେଆଇନ୍‍ ଭାବେ ନିର୍ମାଣ ହୋଇଛି ଘର । ଉଚ୍ଛେଦ ପାଇଁ ସଦଳବଳେ ଆସିଥିଲେ ବିଡିଏ ଓ ବିଏମ୍‍ସିର ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍ । ସାଙ୍ଗରେ ସ୍ଥାନୀୟ ପୁଲିସ୍‍ ବି ଥିଲେ । ଲୋକେ ଜମାହେଲେ ଘରଭଙ୍ଗା ଦେଖିବାପାଇଁ । ହେଲେ ଘର ଭାଙ୍ଗିବେ କ’ଣ ବାବୁମାନେ ଥଣ୍ଡା ପିଇ ପଳାଇଲେ । ସ୍ଥାନୀୟ ଅଞ୍ଚଳରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ଥାନୀୟ ନଅ ନମ୍ବର ଅଞ୍ଚଳରେ । କ୍ୟାପିଟାଲ ହାଇସ୍କୁଲ, କନ୍‍ଭେଣ୍ଟ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ହ୍ୟୁମାନ ଲାଇପ୍‍ ସେଣ୍ଟର ମଝିରେ ରାସ୍ତା ଉପରେ ରାତାରାତି ତିଆରି ହୋଇଛି ଏକ ପାଠାଗାର । ଦୁଇ ଦିନରେ ଘର ଛିଡା ହେବା ସହିତ ରଙ୍ଗଦିଆ ବି ସରିଛି । ଘର ନିର୍ମାଣ ଆରମ୍ଭରୁ ଏହାକୁ ନେଇ ବିରୋଧ ହୋଇ ଆସୁଛି ।
ବିଶେଷକରି ବିଦ୍ୟାଳୟ ନିକଟରେ ଏଭଳି ପାଠାଗାର-କମ୍‍-କ୍ଲବ ଘରକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ରାସ୍ତା ଉପରେ କିଏ ଏହାକୁ ନିର୍ମାଣ ପାଇଁ ଅନୁମତି ଦେଲା ତାହାକୁ ନେଇ ଚର୍ଚ୍ଚା । ତେବେ ସବୁଆଡୁ ବିରୋଧ ଫଳରେ ବାରମ୍ବାର ବିଡିଏ ଓ ବିଏମ୍‍ସିର ସ୍କାଡ୍‍ ଏହାକୁ ଭାଙ୍ଗିବାପାଇଁ ଆସୁଛନ୍ତି । ହେଲେ ପ୍ରତିଥର ଯେଡେ ଜୋରରେ ଆସୁଛନ୍ତି ତାହାଠାରୁ ଆହୁରି ଜୋରରେ ପଳାଇ ଯାଉଛନ୍ତି । ସ୍ମାର୍ଟସିଟିର ଏହି ଜବରଦଖଲକୁ ହଟାଇବାପାଇଁ ଆଜି ବି ବୀରଦର୍ପରେ ସମସ୍ତେ ଆସିଥିଲେ । ଲୋକେ ଭାବିଥିଲେ ଏଥର ଜବରଦଖଲ ଉଠିଲା । ସ୍କୁଲ ପିଲାଏ ବି ଚାହିଁ ରହିଥିଲେ । ହେଲେ ଫଳ ଶୂନ । ଉଚ୍ଛେଦ କରିବାକୁ ଆସିଥିବା ବାବୁମାନେ ଥଣ୍ଡା ପିଇ ପଳାଇଲେ । କିଛି ବାବୁ ପାଠାଗାର ଭିତରେ ଯାଇ ଫୁସୁରୁ ଫାସୁର ହେଉଥିବା ବି ସେଠାରେ ଉପସ୍ଥିତ କିଛି ଅଭିଭାବକ କହୁଥିଲେ । ତେବେ ଗୋଟିଏ ପାଠାଗାରକୁ ଅନ୍ୟ ସ୍ଥାନରେ ସରକାରୀ ଜମି ଯୋଗାଇଦେବା କିମ୍ବା ସରକାରୀ ଘରଟିଏ ଦେବା ବଦଳରେ ରାସ୍ତା ମଝିରେ ନିର୍ମାଣ ପାଇଁ କିଏ ଅନୁମତି ଦେଲା ତାହାକୁ ନେଇ ବଡ ପ୍ରଶ୍ନବାଚୀ । ଆଲୋଚନା ଅନୁଯାୟୀ ସ୍ଥାନୀୟ ବିଧାୟକ ହେଉଛନ୍ତି ଏହାର କର୍ଣ୍ଣଧାର । ୱାର୍ଡ ଅଫିସର ହେଉଛନ୍ତି ହର୍ତ୍ତାକର୍ତ୍ତା । ବାକି ରହିଲେ ସ୍ଥାନୀୟ କିଛି ଯୁବକ । ଏମାନେ ପୃଷ୍ଠପୋଷକ । ଭୋଟ ଲୋଭରେ ନେତା-ଅଫିସର ଆଖିବୁଜି ଏଭଳି ବେଆଇନ୍‍ କାମକୁ ପ୍ରୋତ୍ସାହନ ଦେଉଥିବାବେଳେ ସ୍ମାର୍ଟସିଟର ସ୍ମାର୍ଟ ବାବୁମାନଙ୍କ ନିରବତା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ବିଦ୍ୟାଳୟ ପରିସର ନିକଟରେ ଏଭଳି ବେଆଇନ୍‍ ନିର୍ମାଣକୁ ପ୍ରଶୟ ଦେଇ ସରକାର କି ବାର୍ତ୍ତା ଦେଉଛନ୍ତି ବୋଲି ଏବେ ଅଭିଭାବକମାନେ ପ୍ରଶ୍ନ କରୁଛନ୍ତି । ସେମାନଙ୍କ ମତରେ ଆଗାମୀ ଦିନରେ ଏଠାରେ ଅସାମାଜିକଙ୍କ ଭିଡ ଜମିବ । ଏହାପରେ ଛୋଟ ବଡ ଗଣ୍ଡଗୋଳ ଓ ଅଘଟଣ ବି ଘଟିବ । ସେତେବେଳେ କିଏ ଦାୟୀ ରହିବ ତାହାକୁ ନେଇ ସମସ୍ତେ ଆତଙ୍କିତ । ତେଣୁ ରାସ୍ତା ମଝିରେ ତୁରନ୍ତ ଏହି ବେଆଇନ୍‍ ନିର୍ମାଣକୁ ହଟାଇବା ସହିତ ଏହାର କର୍ଣ୍ଣଧାର ଓ ହର୍ତ୍ତାକର୍ତ୍ତାଙ୍କ ମୁଖା ସର୍ବସାଧାରଣରେ ଖୋଲିବାପାଇଁ ଦାବି ହେଉଛି ।
    ( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ  )