Odia News Portal

ସବୁଠୁ ମହଙ୍ଗା ହେବ ୨୦୨୪ ଲୋକସଭା ନିର୍ବାଚନ, ୧.୩୫ ଲକ୍ଷ କୋଟି ଟପିବ ଖର୍ଚ୍ଚ

ଭାରତରେ ୧୮ ତମ ଲୋକସଭା ନିର୍ବାଚନର ଖର୍ଚ୍ଚ ଏକ ନୂଆ ରେକର୍ଡ କରିବାକୁ ଯାଉଛି । ସାରା ବିଶ୍ୱରେ ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ସାଧାରଣ ନିର୍ବାଚନୀ ଖର୍ଚ୍ଚ ୧.୩୫ ଲକ୍ଷ କୋଟି ଟଙ୍କା ଟପିବ ବୋଲି ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍) ଏନ୍ଜିଓ ଏକ ରିପୋର୍ଟରେ ଦାବି କରିଛି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଚଳିତ ଥର ତାହା ଦୁଇଗୁଣରୁ ଅଧିକ ହେବ । ୩୫ ବର୍ଷ ଧରି ସିଏମ୍ଏସ୍ ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିଆସିଛି । ସିଏମ୍ଏସ୍ ଅଧ୍ୟକ୍ଷ ଏନ୍ ଭାସ୍କର ରାଓ ଏକ ସାକ୍ଷାତକାରରେ କହିଛନ୍ତି, ଏହି ଖର୍ଚ୍ଚରେ ରାଜନୈତିକ ଦଳ, ସଙ୍ଗଠନ, ପ୍ରାର୍ଥୀ, ସରକାର ଏବଂ ନିର୍ବାଚନ କମିଶନଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଖର୍ଚ୍ଚ ଅନ୍ତର୍ଭୂକ୍ତ । ପୂର୍ବରୁ ଏହି ଆକଳନ ୧.୨୦ ଲକ୍ଷ କୋଟି ଟଙ୍କା ରହିଥିଲା । ହେଲେ ଇଲେକ୍ଟୋରାଲ ବଣ୍ଡ୍ ତଥ୍ୟ ସାମ୍ନାକୁ ଆସିବା ପରେ ସେହି ଅର୍ଥ ସମେତ ନିର୍ବାଚନ ବାବଦ ଅନ୍ୟ ଖର୍ଚ୍ଚକୁ ଅନ୍ତର୍ଭୂକ୍ତ କରି ଏହାକୁ ପୁନଃ ଆକଳନ କରାଯାଇଥିଲା ।

ରାଓ ଆହୁରି କହିଛନ୍ତି, ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ ବଜେଟ ମୋଟ ଖର୍ଚ୍ଚର ୧୦ରୁ ୧୫ ପ୍ରତିଶତ ହେବ । ତେବେ ମୋଟ ଖର୍ଚ୍ଚର ୩୦ ପ୍ରତିଶତ ବିଭିନ୍ନ ପ୍ଲାଟଫର୍ମରେ ମିଡିଆ କ୍ୟାମ୍ପେନ୍ରେ ଖର୍ଚ୍ଚ ହେବାର ଆକଳନ କରାଯାଇଛି । ରାଜନୈତିକ ଦଳର ରାଲି, ଶୋଭାଯାତ୍ରା, ନିର୍ବାଚନୀ ସଭା, କର୍ମୀଙ୍କ ପରିବହନ ସମେତ ବିବାଦୀୟ ଘୋଡ଼ା ବେପାର ଖର୍ଚ୍ଚକୁ ମଧ୍ୟ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରାଯାଇଛି । ଏଥିସହ ନିର୍ବାଚନ ତାରିଖ ଘୋଷଣା ହେବାର ୩/୪ ମାସ ପୂର୍ବରୁ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ଖର୍ଚ୍ଚ ମଧ୍ୟ ଏଥିରେ ହିସାବଭୁକ୍ତ । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ୍ (ଏଡିଆର୍) ନିକଟରେ ଦାବି କରିଥିଲା ଯେ, ଭାରତରେ ରାଜନୈତିକ ଦଳଗୁଡ଼ିକର ପାଣ୍ଠିରେ ସ୍ୱଚ୍ଛତାର ଅଭାବ ରହିଛି । ୨୦୦୪-୦୫ରୁ ୨୦୨୨-୨୩ ପର୍ଯ୍ୟନ୍ତ ଦେଶର ପ୍ରମୁଖ ୬ ରାଜନୈତିକ ଦଳକୁ ମିଳିଥିବା ମୋଟ ୧୯,୦୮୩ କୋଟି ଟଙ୍କାର ପ୍ରାୟ ୬୦ ପ୍ରତିଶତ ଅଜ୍ଞାତ ଉତ୍ସରୁ ଆସିଛି, ଯେଉଁଥିରେ ନିର୍ବାଚନୀ ବଣ୍ଡ୍ ବି ସାମିଲ ଥିଲା । ୨୦୧୯ରେ ଖର୍ଚ୍ଚ ହୋଇଥିବା ପ୍ରାୟ ୬୦ ହଜାର କୋଟି ଟଙ୍କାର ପ୍ରାୟ ୪୫% କେବଳ ବିଜେପି ଖର୍ଚ୍ଚ କରିଥିଲା । ୨୦୨୪ ନିର୍ବାଚନରେ ତାହା ବହୁଗୁଣା ହେବାର ସମ୍ଭାବନା ରହିଛି ।

ୱାଶିଂଟନ୍ ଡିସିର ଏକ ଅଣଲାଭକାରୀ ସଂସ୍ଥା ‘ଓପନସିକ୍ରେଟ୍ ଡଟ୍ ଓଆର୍ଜି’ ଅନୁସାରେ, ଭାରତରେ ୯୬.୯ କୋଟି ମତଦାତାଙ୍କ ହିସାବରେ ପ୍ରତି ଭୋଟରଙ୍କ ପିଛା ୧,୪୦୦ ଟଙ୍କା ଖର୍ଚ୍ଚ ହେଉଛି । ଏହି ଖର୍ଚ୍ଚ ୨୦୨୦ରେ ଆମେରିକାରେ ହୋଇଥିବା ନିର୍ବାଚନୀ ଖର୍ଚ୍ଚଠାରୁ ବି ଅଧିକ । ୨୦୨୦ରେ ଆମେରିକାରେ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବିଜ୍ଞାପନ ଏଜେନ୍ସି ଡେଣ୍ଟସୁ କ୍ରିଏଟିଭ୍ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତ୍ ୱାଧୱା କହିଛନ୍ତି, ଚଳିତ ବର୍ଷ ଡିଜିଟାଲ ପ୍ରଚାର ବହୁଳ ଭାବେ ହେଉଛି । ରାଜନୈତିକ ଦଳଗୁଡ଼ିକ କର୍ପୋରେଟ୍ ବ୍ରାଣ୍ଡ୍ ଭଳି କାମ କରିଛନ୍ତି ଏବଂ ପେସାଦାର ଏଜେନ୍ସିଗୁଡ଼ିକଠାରୁ ସେବା ନେଉଛନ୍ତି । ମେଟା, ଗୁଗୁଲ ପ୍ଲେ ଭଳି ବଡ଼ ସୋସିଆଲ ମିଡିଆଗୁଡ଼ିକର ମଧ୍ୟ ନିର୍ବାଚନ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ କହିଛନ୍ତି ।