Odia News Portal

କାହାକୁ ରାଜ୍ୟସଭା ପଠାଇବ ବିଜେଡି

କାହାକୁ ରାଜ୍ୟସଭା ପଠାଇବ ବିଜେଡି । ଚାରୋଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ସୁପ୍ରିମୋଙ୍କ କୋଟେରୀ କାହା ଉପରେ କୃପା ଦୃଷ୍ଟି ପକାଇବେ, ତା ଉପରେ ସମସ୍ତଙ୍କ ନଜର । ସଂଖ୍ୟା ଦୃଷ୍ଟିରୁ ଚାରୋଟି ଯାକ ଆସନ ବିଜେଡି ହାତକୁ ଯାଉଥିବାରୁ ଦଳ 2024କୁ ନଜରରେ ରଖି ଚାରିଜଣ ଅନୁଗତଙ୍କୁ ରାଜ୍ୟସଭାକୁ ପଠାଇବାକୁ ସ୍ଥିର କରିଛି । ରାଜ୍ୟସଭାକୁ ଯିବା ପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବଢିଚାଲିଛି । ତେବେ ମିଳିଥିବା ସୂତ୍ର ଅନୁଯାୟୀ, କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବ । ଏହାଦ୍ବାରା ଦଳ ଦକ୍ଷିଣ ଓଡିଶାରେ ସଂଗଠନକୁ ଆହୁରି ସୁଦୃଢ କରିପାରିବ ବୋଲି ଆକଳନ କରିଛି । ପିସିସିର କାର୍ଯ୍ୟକାରୀ ସଭାପତି ପଦ ଛାଡି ପ୍ରଦୀପ ମାଝୀ ବିଜେଡିରେ ମିଶିଥିବା ବେଳେ ଦଳ ତାଙ୍କୁ ଠିକଣା ଭାବେ ଥଇଥାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ସେହିପରି ରାଜ୍ୟସଭାରେ ଅଳ୍ପ ସମୟ ସାଂସଦ ରହି ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ପୂର୍ବତନ ସାଂସଦ ସସ୍ମିତ ପାତ୍ରଙ୍କୁ ଦଳ ଆଉଥରେ ସଂସଦକୁ ପଠାଇବାକୁ ଚିନ୍ତା କରୁଛି । ସୁପ୍ରିମୋଙ୍କ ନିକଟରେ ସସ୍ମିତଙ୍କ ରେଟିଂ କାର୍ଡ ଭଲ ଥିବାରୁ ସେ ପୁଣିଥରେ ରାଜ୍ୟସଭାକୁ ଯିବା ନିଶ୍ଚିତ ବୋଲି କୁହାଯାଉଛି । ବାକି ଦୁଇଟି ଆସନରୁ ଗୋଟିଏ ଆସନରେ ଜଣେ ମହିଳା ରାଜ୍ୟସଭାକୁ ଯିବା ନିଶ୍ଚିତ ହୋଇଛି । ଚତୁର୍ଥ ଆସନଟି ଦଳ ପାଇଁ ଆର୍ଥିକ ଫାଇଦା ଦେଉଥିବା ଜଣେ ଅନୁଗତଙ୍କୁ ପଠାଇବ ବୋଲି ସୂଚନା ମିଳିଛି ।