Odia News Portal

ନୂଆବର୍ଷରେ ନୂଆ ରାଜନୀତି : ତିନି ଦଳ ପାଇଁ ୨୦୨୦ ହେବ ପରୀକ୍ଷାର ବର୍ଷ

ଭୁବନେଶ୍ୱର : ନୂଆବର୍ଷକୁ ନେଇ ଓଡିଶାର ରାଜନେତାମାନେ ଉତ୍ସାହିତ ଥିବାବେଳେ ଉଭୟ ଶାସନ ଓ ବିରୋଧି ଆସନରେ ଥିବା ତିନି ଦଳ ପାଇଁ ଯେ ୨୦୨୦ ପରୀକ୍ଷାର ବର୍ଷ ହେବ ତାହା ଜଳ ଜଳ ହୋଇ ଦିଶିଲାଣି । ଶାସକ ବିଜେଡି ଓ ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ଦଳ ସଜାଡିବା, ଲୋକଙ୍କ ପ୍ରସଙ୍ଗ ଉଠାଇବା ସର୍ବୋପରି ପୌର ନିର୍ବାଚନକୁ ନେଇ ଏହି ବର୍ଷରେ ବେଶ୍‍ ଚଳଚଞ୍ଚଳ ରହିବେ । ଏଥିରେ କିଏ କାହାକୁ ମାତ ଦେବ ଏବେଠାରୁ ତାହାକୁ ନେଇ ଅଙ୍କକଷା ବି ଆରମ୍ଭ ହୋଇଗଲାଣି । ୨୦୨୦ ରେ ଶାସକଦଳ ତାହାର ମବୀମଣ୍ଡଳରେ ଅଦଳ ବଦଳ କରିବା ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଯାହା ସୂଚନା ମିଳୁଛି ବଜେଟ୍‍ ଅଧିବେଶନ ପୂର୍ବରୁ କିମ୍ବା ପରେ ମବୀମଣ୍ଡଳ ଅଦଳ ବଦଳ ହେବ । ଯଦି ଏଭଳି ହୁଏ ତେବେ କାହାକୁ ମନ୍ତ୍ରୀ କରାଯିବ ଓ କାହାକୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯିବ ତାହା ବିଜେଡି ପାଇଁ ଜଟିଳ ହେବ । ସେହିଭଳି ଏହି ବର୍ଷ ପ୍ରାରମ୍ଭରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବାରୁ ସନ୍ତୁଳନ ରକ୍ଷାକରି ପ୍ରାର୍ଥୀ ବାଛିବା ବି ବିଜେଡି ପାଇଁ କିଛି କମ୍‍ କଷ୍ଟକର ହେବନାହିଁ । ବର୍ଷର ମଧ୍ୟଭାଗରେ ପୌର ର୍ନିବାଚନର ଆଭାସ ମିଳୁଥିବାରୁ ସେଥିପାଇଁ ବି ସାରା ରାଜ୍ୟରେ ସଂଗଠନ ଓ କର୍ମୀଙ୍କୁ ଏକଜୁଟ କରିବାକୁ ପଡିବ।

 

କେନ୍ଦ୍ରରୁ ଅନୁଦାନ ହ୍ରାସ ପାଉଥିବାରୁ ରାଜ୍ୟ ଅର୍ଥନୀତିକୁ ସଜାଡିବା ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ମୋଟାମୋଟି ଭାବେ ୫ମଥର ପାଇଁ କ୍ଷମତାସୀନ ହୋଇଥିବା ବିଜେଡି ପାଇଁ ୨୦୨୦ ମସିହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏତେଟା ସହଜ ହେବନାହିଁ । ମୁଖ୍ୟ ବିରୋଧିଦଳ ବିଜେଡି ପାଇଁ ଏହି ବର୍ଷଟି ହେଉଛି ଓଡିଶାରେ ଅଗ୍ନି ପରୀକ୍ଷାର ସମୟ । କାରଣ ଦଳ ରାଜ୍ୟରେ ତାହାର ନୂଆ ସଭାପତି ନିଯୁକ୍ତ କରିବ । ଏଥିପାଇଁ ଜୋରଦାର କସରତ ଆରମ୍ଭ ହୋଇଛି । ନୂଆ ସଭାପତି ଆସିଲେ ସିଏ କିଭଳି ସମସ୍ତଙ୍କୁ ସାଙ୍ଗରେ ନେବେ ଓ କେନ୍ଦ୍ରୀୟ ନେତାଙ୍କ ସହିତ ଭଲ ସମ୍ପର୍କ ରକ୍ଷା କରିବେ ତାହା ଏକ ବଡ ପ୍ରଶ୍ନ । ରାଜ୍ୟବାସୀ ବିରୋଧିଦଳ ଭାବେ ବିଜେପି ଠାରୁ ଅନେକ କିଛି ଆଶା କରୁଥିବାବେଳେ ବିଜେଡିର ନିକଟତର ହେବାରେ ଲାଗିଥିବା ବିଜେପି କିଭଳି ଲୋକଙ୍କ ଆଶା
ପୂରଣ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

 

ଏହି ବର୍ଷ ପୌର ର୍ନିବାଚନ ହେବାକୁ ଯାଉଥିବାରୁ ପ୍ରତି ପ୍ରସଙ୍ଗରେ ସରକାରଙ୍କୁ ନରମ ଆକ୍ରମଣ କରୁଥିବା ବିଜେପି ନେତାମାନେ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ ତାହା ଉପରେ କେବଳ ସାଧାରଣ ଲୋକେ ନୁହନ୍ତି ରାଜନୈତିକ ବିଶ୍ଲେଷକମାନେ ମଧ୍ୟ ସତର୍କ ନଜର ରଖିଛନ୍ତି । ସୁପ୍ତ ଅବସ୍ଥାରେ ରହିଥିବା କଂଗ୍ରେସ ପାଇଁ ମଧ୍ୟ ୨୦୨୦ ପରୀକ୍ଷାର ବର୍ଷ ହେବ । କାରଣ ଦୀର୍ଘଦିନ ଧରି ରାଜ୍ୟରେ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ଏକା ସାଙ୍ଗରେ ରାଜ୍ୟ କ୍ଷମତାରେ ଥିବା ବିଜେଡି ଓ କେନ୍ଦ୍ର କ୍ଷମତାରେ ଥିବା ବିଜେପିକୁ ମୁକାବିଲା କରିବାକୁ ପଡିବ । ରାଜ୍ୟ କଂଗ୍ରେସରେ ମଧ୍ୟ ନୂଆ ସଭାପତି କସରତ ଆରମ୍ଭ ହୋଇଛି । ଦଳର ସମସ୍ତ ଶାଖାର କର୍ମକର୍ତ୍ତା ନିର୍ବାଚିତ ହେବା ସହିତ ଏହାର ପୁର୍ନଗଠନ ହେବ । ଏହାଛଡା ବର୍ଷ ଆରମ୍ଭରୁ ଦଳ ସଭ୍ୟସଂଗ୍ରହ ଅଭିଯାନ ଆରମ୍ଭ କରିବ ବୋଲି ସୂଚନା ଦେଇଛି । ତେବେ ନୂଆ
କର୍ମକର୍ତ୍ତା ନିର୍ବାଚନ କରି ଦଳ କେତେବେଳେ ସରକାରଙ୍କୁ କିଭଳି ଘେରିବ ଓ ସଭ୍ୟ ସଂଗ୍ରହ କରିବ ତାହା ବଡ ପ୍ରଶ୍ନବାଚୀ ।

 

ମୋଟାମୋଟି ଭାବେ ଭାବେ ତିନି ଦଳ ପାଇଁ ୨୦୨୦ ମସିହା ଓଡିଶାରେ ଏତେଟା ସହଜ ନଥିବାବେଳେ ରାଜ୍ୟରେ ଥିବା
ଅନ୍ୟାନ୍ୟ ଜାତୀୟ ଓ ଆଞ୍ଚଳିକ ଦଳମାନେ ମଧ୍ୟ ନିଜ ନିଜର ସ୍ଥିତି ରକ୍ଷାପାଇଁ ସରକାରଙ୍କ ବିରୁଦ୍ଧରେ ସେମାନଙ୍କର ପ୍ରତିବାଦ ଜାହିର କରିବାଟା ଏକ ପ୍ରକାର ନିଶ୍ଚିତ । ତେଣୁ ରାଜ୍ୟର ତିନି ପ୍ରମୁଖ ଦଳ ନୂଆ ବର୍ଷରେ କିଭଳି ପରସ୍ପରର ମୁକାବିଲା ସହିତ ଲୋକଙ୍କ ଆସ୍ଥା ଭାଜନ ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।