Odia News Portal

ବିଧବା, ଅନାଥଙ୍କ ପାଇଁ ନବୀନଙ୍କ ବଡ ଘୋଷଣା

.ସମସ୍ତ ସାମାଜିକ ନିରାପତା ଯୋଜନାର ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ପେନ୍ସନ
.ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କର, ପିଲାମାନଙ୍କ ଯତ୍ନ ଉପରେ ସ୍ୱତନ୍ତ୍ର ଫୋକସ୍
.ବ୍ଲାକ୍ ଫଙ୍ଗସର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପରାମର୍ଶ

ଭୁବନେଶ୍ୱର : କୋଭିଡରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ ମଧ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପେନ୍ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଥିଲେ ।


ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ବର୍ତମାନ ବ୍ଲାକ ଫଙ୍ଗସର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତାଲିମପ୍ରାପ୍ତ ଡାକ୍ତର ଓ ମେଡିସିନ୍ ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାଜ୍ୟର ମେଡିକାଲ କଲେଜ ସମେତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଓ ନନ୍-କୋଭିଡ ବ୍ଲାକ୍ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ ଦ୍ୱିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଜ୍ଞତାକୁ ଉପଯୋଗ କରି ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକସ ରଖି ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ କମ୍ ରହିଛି ଏବଂ ଅଧିକାଂଶ ଜିଲ୍ଲାରେ ପଜିଟିଭ କେସ୍ ମଧ୍ୟ ହ୍ରାସ ପାଇଲାଣି । କିନ୍ତୁ ବାତ୍ୟା ପ୍ରଭାବିତ ଅଂଚଳରେ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି । ତାସହିତ ୨୪ ମଇରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାପାଳ ମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବା ସହିତ ଚିହ୍ନଟ ରୋଗୀ ମାନଙ୍କର ଚିକିତ୍ସା ପ୍ରାଥମିକତା ଭିତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ତମାନ ପରିସ୍ଥିତିରେ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଗୋଷ୍ଠୀକୁ ସକ୍ରିୟ ଭାବରେ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ଲହର ଏବଂ ଭାରିଆଂଟ ବିରୁଦ୍ଧରେ ଲଢିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ସମସ୍ତ ବାଧାବିଘ୍ନ ସତ୍ୱେ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁମତେ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ମାସରେ ଟିକା ଯୋଗାଣ ଉପରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଜାତିସଂଘର ସଂସ୍ଥା ୟୁନାଇଟେଡ୍ ନେସନସ୍ ଅଫିସ୍ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ୍ ପକ୍ଷରୁ ଓଡିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ସ୍ୱୀକୃତି ପ୍ରଦାନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗ ଯୋଗୁ ହିଁ ଆମେ ଏହା ହାସଲ କରିପାରିଛୁ । ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଲକ୍ଡାଉନ ନିୟମ ତଥା କୋଭିଡ ନିୟମାବଳୀ କଡାକଡି ପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଗ୍ରାମାଂଚଳରେ ସଂକ୍ରମଣ ରୋକିବା ପାଇଁ ବର୍ତମାନ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ଗୋଷ୍ଠୀ ସଂଗଠନ ଗୁଡିକର ଯୋଗଦାନ ଏବଂ କୋଭିଡ ପରୀକ୍ଷାକୁ ଆହୁରି ଜୋରଦାର କରାଯିବ ବୋଲି କହିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲାଣି । ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁ ହାସ ୦.୩ ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ସର୍ବନିମ୍ନ । ରାଜ୍ୟରେ ଦକ୍ଷିଣ ଓ ପଶ୍ଚିମ ଭାଗରେ ପଜିଟିଭିଟି ହାର ହ୍ରାସ ପାଇଥିବା ବେଳେ, ଉପକୂଳବର୍ତୀ ୧୧ଟି ଜିଲ୍ଲାରୁ ରାଜ୍ୟର ମୋଟ ପଜିଟିଭ ସଂଖ୍ୟାର ୬୩ ପ୍ରତିଶତ ରହୁଛି । ତେଣୁ ଉପକୂଳ ଓଡିଶାରେ ଅଧିକ ଟେଷ୍ଟିଂ ଉପରେ ଜୋର ଦିଆଯିବ ବୋଲି ସେ କହିଥିଲେ । ବର୍ତମାନ ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ଆଇସିୟୁ, ଏଚଡିୟୁ ଓ ସାଧାରଣ ଶଯ୍ୟା ଉପରେ ଚାପ ହ୍ରାସ ପାଇଛି । ଅକ୍ସିଜେନ ବ୍ୟବହାର ଚାହିଦା ମଧ୍ୟ ହ୍ରାସ ପାଇଛି । ସେହିପରି ତୃତୀୟ ଲହରର ମୁକାବିଲା ପାଇଁ ପିଲାମାନଙ୍କୁ ଯନô କିପରି ଭଲ ଭାବରେ ନିଆଯାଇପାରିବ, ସେଥିପାଇଁ ଆବଶ୍ୟକ ଡାକ୍ତର ଓ ଉପକରଣର ବ୍ୟବସ୍ଥା କରାଯାଉଛି । ବ୍ଲାକ୍ ଫଙ୍ଗସ ଚିକିତ୍ସା ପାଇଁ ଆମ୍ଫୋଟେରିସିନ୍ ମଗାଯାଇଛି ବୋଲି ସେ ସୂଚନା ଦେଇଥିଲେ ।


ପୋଲିସ ମହାନିଦେ୍ର୍ଦଶକ ଶ୍ରୀ ଅଭୟ ଓ ଅଗ୍ନିଶମ ସେବା ମହାନିଦେ୍ର୍ଦଶକ ଶ୍ରୀ ଏମ୍. ଅକ୍ଷୟ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚଳନା କରିଥିଲେ ।ମୟୁରଭଂଜ, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡାର ଜିଲ୍ଲାପାଳ ଏବଂ ବି.ଏମ୍.ସି ଓ ସି.ଏମ୍.ସି କମିଶନର ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ପରିଚାଳନା ସଂପର୍କରେ ଅବଗତ କରିଥିଲେ ।