Odia News Portal

ଦ୍ରୌପଦୀ ମର୍ମୁଙ୍କ ଗାଁରେ ଜଳିଲା ବିଜୁଳି ଆଲୁଅ

 ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁଙ୍କ ଗାଁରେ ଜଳିଲା ବିଜୁଳି ଆଲୁଅ । ସେପଟେ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଘରେ ଓ ଗାଁରେ ବିଜୁଳି ନ ଥିବା ନେଇ ଖବର ପ୍ରସାରଣ ପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା। ସରକାରଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଥିଲା। ବିଦ୍ୟୁତ ବିଭାଗ ତତ୍ପର ହୋଇ ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିଥିଲା। ଶନିବାର ଠାରୁ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା କାର‌୍ୟ୍ୟ ଆରମ୍ଭ ହୋଇଥିଲା। ଗତକାଲି ଗାଁରେ ମୋଟ ୨୦ ଗୋଟି ଖୁଣ୍ଟ ପୋତା ଯାଇଥିଲା। ଆଜି ଉପରବେଡ଼ା ଡୁଙ୍ଗୁରିସାହିରେ ମୋଟ ୧୮ଟି ଘରକୁ ବିଦ୍ୟୁତ ସଂଯୋଗ କରାଯାଇ ଲାଇନ ଚାର୍ଜ ହୋଇଥିଲା। ଫଳରେ ଏମାନଙ୍କ ଘରେ ବିଜୁଳି ଆଲୁଅ ଜଳିଛି।

ବିଜୁଳି ଆଲୁଅ ଦେଖି ଲୋକେ ଖୁସ୍। ଏନେଇ ଦୌପଦୀ ମୁର୍ମୁଙ୍କ ଭାଇଜ ଚୁଡ଼ାମଣି ଟୁଡ଼ୁ କହିଛନ୍ତି, ଆଗରୁ ଲାଇନ ନ ଥିଲା। ତେଣୁ ଅନ୍ଧାରରେ ଦିନ କାଟିବାକୁ ପଡ଼ୁଥିଲା। ଏବେ ତାଙ୍କ ଘରେ ବିଜୁଳି ଆଲୁଅ ଜଳିପାରିଲା। ଦିଦି ରାଷ୍ଟ୍ରପତି ପ୍ରାର୍ଥୀ ହେବା ଯୋଗୁ ଲାଇନ୍ ସଂଯୋଗ ମିଳିପାରିଲା। ସେହିପରି ଛାତ୍ରୀ ଫୁଲମଣି ମରାଣ୍ଡି କହିଛନ୍ତି, ୨୫ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ସେମାନେ ବିଜୁଳି ଆଲୁଅ ପାଇପାରୁ ନ ଥିଲେ। ଡିବିରି ଆଲୁଅ ଭରସା ଥିଲା। ବହୁ ଅସୁବିଧାରେ ରାତି କଟୁଥିଲା। ଏବେ ବିଜୁଳି ଆଲୁଅ ପାଇବା ପରେ ଏଥିରେ ପାଠପଢ଼ା ସୁବିଧା ହେବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।