Odia News Portal

ମା ଓ ଝିଅଙ୍କୁ ହତ୍ୟା ଘଟଣା, ଜେଲଗଲା ନରହନ୍ତା ଗାଡି ଚାଳକ

ଡୁବୁରୀ ୫୩ନଂ ଜାତୀୟ ରାଜପଥ ବରଡା ଛକ ନିକଟରେ ଗାଡି ଚଢାଇ ମା ଓ ଝିଅଙ୍କୁ ହତ୍ୟା ଘଟଣା । ଗିରଫ ପରେ ଅଭିଯୁକ୍ତ ଗାଡି ଚାଳକ ଅମର ସ୍ୱାଇଁଙ୍କୁ କୋର୍ଟ ଚାଲାଣ କଲା ଜେନାପୁର ପୋଲିସ । ପୋଲିସ ଆଗରେ ଅଭିଯୁକ୍ତ ସବୁ ସତ ମାନିଥିବା ବେଳେ କୋର୍ଟ ଚାଲାଣ ସମୟରେ ଗାଡିର ବ୍ରେକ ଫେଲ ହୋଇଗଲା ବୋଲି ଗଣମାଧ୍ୟମ ପ୍ରଶ୍ନର ଉତର ରଖିଥିଲା । ଏପଟେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି ହୋଇଛି ।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ – ଡୁବୁରୀ ୫୩ନଂ ଜାତୀୟ ରାଜପଥ ବରଡା ଛକ ନିକଟରେ ଗାଡି ଚଢାଇ ମା ଓ ଝିଅଙ୍କୁ ହତ୍ୟା ଘଟଣା । ଦୁର୍ଘଟଣା ନୁହେଁ ପ୍ରତିଶୋଧ ପାଇଁ ହତ୍ୟା । ରାସ୍ତାରେ ଯାଉଥିବା ସମୟରେ ସାଇଡ୍ ମରାକୁ ନେଇ ମା ଝିଅଙ୍କ ସହ ଡ୍ରାଇଭରର ହୋଇଥିଲା ଯୁକ୍ତିତର୍କ । ରାସ୍ତା ଉପରେ ସର୍ବସମ୍ମୁଖରେ ମା ଝିଅଙ୍କ ଅପମାନର ଜ୍ୱାଳାରେ ଜର୍ଜରିତ ହୋଇଥିଲା ଟ୍ରକ ଡ୍ରାଇଭର ଅମର । ପ୍ରତିଶୋଧର ନିଆଁରେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲା । ଟ୍ରକ ଚଢାଇ ମା ଝିଅକୁ ଜୀବନରୁ ମାରିଦେବା ପାଇଁ ନେଇଥିଲା ଚରମ ନିଷ୍ପତି । ହିତାହିତ ଜ୍ଞାନ ହରାଇ ବସିଥିଲା । ଶେଷରେ ସେୟା ହିଁ କଲା । ବୁଧବାର ଅପରାହ୍ନରେ ଜେନାପୁର ଥାନା ୫୩ନଂ ଜାତୀୟ ରାଜପଥ ବରଡା ଛକରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାର ଏ ଥିଲା ପୃଷ୍ଠଭୂମି । ପ୍ôରଥମେ ପୋଲିସକୁ ବ୍ରେକ ଫେଲ ହୋଇଗଲା ବୋଲି କହିଥିଲା ଅମର । ତେବେ ପୋଲିସର ଜେରା ସମୟରେ ଏକାଧିକ ପ୍ରଶ୍ନରେ ଘାଇଲା ହୋଇଥିଲା ଅମର । ଶେଷରେ ସବୁ କିଛି ସତ ଓଗାରିଥିଲା ଅଭିଯୁକ୍ତ । ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଂଚଲ୍ୟ ଖେଳାଇଥିବା ବେଳେ ଅଭିଯୁକ୍ତକୁ କଠୋର ଦଣ୍ଡଦେବାକୁ ଦାବି ହୋଇଛି ।

ଦୁର୍ଘଟଣା ପରେ ପ୍ରଥମେ ଜେନାପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ସନ୍ଦେହ ଘନୀଭୂତ ହେବାରୁ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଦୁର୍ଘଟଣାର କିଛି ସମୟ ପୂର୍ବରୁ ଆରୁହା ଛକରେ ମା ଝିଅ ଓ ଡ୍ରାଇଭରଙ୍କ ମଧ୍ୟରେ ହୋଇଥିବା ବଚସା ସଂପର୍କରେ ପୋଲିସ ଜାଣିବାକୁ ପାଇଥିଲା । ସଙ୍ଗେ ସଙ୍ଗେ ଜେନାପୁର ପୋଲିସ ଘଟଣାର ତଦନ୍ତ କରି ପ୍ରତ୍ୟକ୍ଷଦର୍ଶୀଙ୍କର ବୟାନ ସଂଗ୍ରହ କରିଥିଲା । ଅପମୃତ୍ୟୁ ମାମଲାରୁ ପୋଲିସ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ପଛର ସାଂଘାତିକ ସତକୁ ଲୋକଲୋଚନକୁ ଆଣିଥିଲା । ଏହା ଦୁର୍ଘଟଣା ନଥିଲା ଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଗତକାଲି ଯାଜପୁର ଏସପି ସୂଚନା ଦେଇଥିଲେ । ଏପଟେ ମା ଶ୍ରୀତିକା ଚକ୍ରବର୍ତୀ ଓ ଝିଅ ସୋନାଲି ଚକ୍ରବର୍ତୀଙ୍କ ମୃତ୍ୟୁ ପରେ ପରିବାର ଓ ସଂପର୍କୀୟ ଭାଙ୍ଗିପଡିଛନ୍ତି । ସଂପୃକ୍ତ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଦାବି କରିଛନ୍ତି ।