Odia News Portal

ଇଡି ସ୍କାନର୍‌ରେ ପାର୍ଥଙ୍କ ଝିଅ-ଜ୍ୱାଇଁ

 ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଝିଅ ସୋହିନୀ ଭଟ୍ଟାଚାର୍ଯ୍ୟ ଏବଂ ଜ୍ୱାଇଁ କଲ୍ୟାଣମୟ ଭଟ୍ଟାଚାର୍ଯ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ଆମେରିକାରେ ବସବାସ କରୁଥିବା ସୋହିନୀ ଏବଂ କଲ୍ୟାଣମୟଙ୍କୁ ତୁରନ୍ତ କୋଲ୍‌କାତା ଆସି ଇଡି ସମ୍ମୁଖରେ ହାଜର ହେବାକୁ ଏଜେନ୍ସି ଇମେଲ୍ ମାଧ୍ୟମରେ ସମନ ଜାରି କରିଛି । ତେବେ ଉଭୟଙ୍କୁ ଅନ୍ୟ କାରଣ ନେଇ ସମନ କରାଯାଇଥିବା ଇଡି ସୂତ୍ରରୁ ଜଣାଯାଇଛି । ତିନିଟି କମ୍ପାନୀ ଇମ୍ପ୍ରୋଲାଇନ୍ କନ୍‌ଷ୍ଟ୍ରକ୍‌ସନ୍ ପ୍ରା.ଲିଃ, ଏଚ୍‌ଆର୍‌ଆଇ ୱେଲ୍‌ଥ କ୍ରିଏସନ୍ ରିଲେଟର୍ସ ପ୍ରା.ଲିଃ ଏବଂ ଆକ୍ରିସିଅସ୍ କନ୍‌ସଲ୍‌ଟିଂ ପ୍ରା.ଲିଃରେ ତାଙ୍କର ସମ୍ପୃକ୍ତି ନେଇ ଇଡି ଏଡି ସମନ ଜାରି କରିଥିବା କଲ୍ୟାଣମୟଙ୍କ ସୂତ୍ରରୁ କୁହାଯାଇଛି ।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ରେଜିଷ୍ଟର୍ ଅଫ୍ କମ୍ପାନିଜ୍ ରେକର୍ଡ ଅନୁସାରେ କଲ୍ୟାଣମୟ ଅକ୍ରିସିଅସ୍ କନ୍‌ସଲ୍‌ଟିଂ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଥିବାବେଳ ଅନ୍ୟ ଦୁଇଟିରେ କେବଳ ଡାଇରେକ୍ଟର ଅଛନ୍ତି । ଏଚ୍‌ଆର୍‌ଆଇ ୱେଲ୍‌ଥ କ୍ରିଏସନ୍ ରିଲେଟର୍ସ ଏବଂ ଇମ୍ପ୍ରୋଲିନ୍ କନ୍‌ଷ୍ଟ୍ରକ୍‌ସନ୍‌ସରେ କଲ୍ୟାଣମୟଙ୍କ ମାମୁ ପଶ୍ଚିମ ମେଦିନାପୁର ଜିଲ୍ଲା ପିଙ୍ଗ୍‌ଲାର ଚନ୍ଦ୍ର ଅଧିକାରୀ ଦ୍ୱିତୀୟ ଡାଇରେକ୍ଟର ଅଛନ୍ତି । ଆମେରିକାରେ ବସି କଲ୍ୟାଣମୟ କିପରି ଏହି କମ୍ପାନୀଗୁଡ଼ିକୁ ପରିଚାଳନା କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଇଡି ସୂତ୍ରରୁ କୁହାଯାଇଛି । ଅନ୍ୟପକ୍ଷରେ ସାଉଥ୍ ୨୪ ପ୍ରଗନା ଜିଲ୍ଲାର ପୁରୀ ଗ୍ରାମରେ ଥିବା ‘ବିଶ୍ରାମ’ ନାମକ ଫାର୍ମହାଉସ୍‌ରେ ସମ୍ପୃକ୍ତି ନେଇ ସୋହିନୀଙ୍କୁ ସମନ କରାଯାଇଛି । ସୋହିନୀ ଭଟ୍ଟାଚାର୍ଯ୍ୟଙ୍କ ନାମରେ ରେଜିଷ୍ଟ୍ରି ହୋଇଥିବା ଏହି ଫାର୍ମ ହାଉସ୍‌କୁ ପାର୍ଥ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ବାରମ୍ବାର ଆସୁଥିଲେ । ନିକଟରେ ଜୁଲାଇ ୨୭ ତାରିଖ ରାତିରେ ଏଠାରେ ଚୋରି ହୋଇଥିବା ଖବର ମିଳିବା ପରେ ଏହି ଫାର୍ମ ହାଉସ୍ ଇଡି ନଜରକୁ ଆସିଥିଲା ।