Odia News Portal

ଥାଇଲ୍ୟାଣ୍ଡ: ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ୧୩ ଜୀବନ୍ତ ଦଗ୍ଧ

ଥାଇଲ୍ୟାଣ୍ଡରେ ଚୋନବୁରୀ ପ୍ରଦେଶର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଘଟଣାରେ ୩୫ ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ବେଳେ ନାଇଟ୍ କ୍ଲବରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ତେଣୁ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିଲେ।

ପୋଲିସ କର୍ଣ୍ଣେଲ ୱୁଟିପଙ୍ଗ ସୋମଜାଇ କହିଛନ୍ତି ଯେ ସତ୍ତାହିପ ଜିଲ୍ଲାର ମାଉଣ୍ଟେନ୍ ବି ନାଇଟ୍ କ୍ଲବରେ ରାତି ପ୍ରାୟ ୧ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ପୀଡିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଥାଇ ନାଗରିକ। ଏଥି ସହିତ କିଛି ବିଦେଶୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ କହିଛି।