Odia News Portal

ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ୨ ଗିରଫ

ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ । ବାଙ୍ଗାଲୋରରୁ ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି ନେଇ ଦୟା ନଦୀରେ ଫୋପାଡି ଦେଇଥିଲେ ଦୁବୁର୍ତ୍ତ । ଓଡିଶାରେ ପ୍ରଥମ ଥର ପାଇଁ ଘଟିଥିଲା ଏଭଳି ଘଟଣା, ପୂରା ଏଟିଏମ ମେସିନକୁ ତାଡି ନେଇଯାଇଥିଲେ ଦୁବୁର୍ତ୍ତ । ପୂର୍ବରୁ ଦିଲ୍ଲୀରେ ବି ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଖୋଜୁଥିଲା । ତେବେ ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ବାଙ୍ଗାଦେଶୀ ବୋଲି ଜଣାପଡିଛି । ଏହି ଗ୍ୟାଙ୍ଗକୁ ଧରିବାକୁ କମିଶନରେଟ୍ ପୋଲିସର ଏକ ଟିମ୍ ବାଙ୍ଗାଲୋର ଯାଇଥିଲା । ସେଠାରେ ବିଭିନ୍ନ ହୋଟେଲରେ ଚଢଉ କରିବା ପରେ ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଠିିକ୍ ସମୟରେ ୨ଜଣଙ୍କୁ ଗିରଫ କରିବାରେ ସଫଳ ହେବାରୁ ବାଙ୍ଗାଲୋରରେ ସେମାନେ ଏହି ଘଟଣା ଘଟାଇପାରିନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିପି ।